କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ, ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହେଲା ଶବ ସତ୍କାର

କୋରାପୁଟ,ଏନ୍ଏନ୍ଏସ୍: ଦୀର୍ଘ ଦିନରୁ ମଲ୍ଟି ଅର୍ଗାନ୍ ସମସ୍ୟା ଓ କିଡନୀ ରୋଗରେ ପୀଡିତ ଥିବା କୋରାପୁଟ ଗାନ୍ଧୀ ନଗର ଅଞ୍ଚଳର ଜନୈକ ୩୨ ବର୍ଷୀୟା ମହିଳାଙ୍କର ରବିବାର କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କିଛି ମାସ ହେବ କିଡନୀ ଓ ମଲଟି ଅର୍ଗାନ୍ ରୋଗରେ ପଡି କୋରାପୁଟ ମେଡିକାଲ କଲେଜରେ ଉକ୍ତ ମହିଳା ଜଣଙ୍କ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟାବସ୍ଥା ଉଦବେଗ ଜନକ ହେବା ପରେ ମହିଳା ଜଣଙ୍କୁ ପରିବାର ଲୋକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ୬ ଦିନ ରହିବା ପରେ ମହିଳାଙ୍କର କରୋନା ପଜିଟିଭ୍ ବାହାରିଥିଲା। ହସ୍ପିଟାଲ୍ କର୍ତ୍ତୃପକ୍ଷ ଚିକିତ୍ସା କରିବାକୁ ମନା କରି ଡିସଚାର୍ଜ କରିଦେଇଥିଲେ। ସମ୍ପର୍କୀୟମାନେ ବିଶାଖାପାଟଣାର ଅନ୍ୟ ହସ୍ପିଟାଲକୁ ନେଇ ମହିଳାଙ୍କ ଚିକିତ୍ସା କରାଇବାକୁ ଉଦ୍ୟମ କରିଥିଲେ। ମାତ୍ର କରୋନା ପଜିଟିଭ ରିପୋର୍ଟ ଥିବାରୁ କୌଣସି ହସ୍ପିଟାଲ ଚିକିତ୍ସା କରିବାକୁ ରାଜି ହୋଇନଥିଲେ। ଶନିବାର ରାତିରେ ମହିଳା ଜଣଙ୍କୁ କୋରାପୁଟ ଆଣି ଏସ୍ଏଲ୍ଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁନର୍ବାର ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା।

ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଏହା କରୋନା ଜନିତ ମୃତ୍ୟୁ ବୋଲି ଜିଲ୍ଲା ପ୍ରଶାସନ ଏଯାଏ ସ୍ୱଷ୍ଟ କରିନାହିଁ। ତେବେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ମହିଳାଙ୍କ ଶେଷକୃତ୍ୟ କୋରାପୁଟ ଶ୍ମଶାନରେ ସମାପନ କରାଯାଇଥିଲା। କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ ଓ ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ମୃତ ମହିଳାଙ୍କର ଦୁଇଭାଇ, ଦିଅର ଓ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିବା ଜଣାପଡ଼ିଛି।