ଲୋକଲଜ୍ୟା ସହି ନପାରି ଜୀବନ ହାରିଲେ ମହିଳା, ମଶାଣିରୁ ହାଡ ଜବତ କଲା ପୁଲିସ

ନୟାଗଡ ଏନଏନଏସ: ଲୋକଲଜ୍ୟା ସହି ନପାରି ଆତ୍ମହତ୍ୟା କଲେ ମହିଳା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ଖେଡବାରଣା ଗାଁରେ । ଗାଁ ର ଲିଳାବତୀ ନାୟକ ନାମକ ଜଣେ ମହିଳା ତାଙ୍କ ଝିଅ ଏବଂ ପୁଅ ସହ ଗାଁରେ ରହୁଥିବା ବେଳେ ସ୍ୱାମୀ କିଛି ମାସ ହେବ କେରଳରେ ରହୁଥିଲେ। ଗତ ଶୁକ୍ରବାର ଦିନ ରାତିରେ ସେହି ଗାଁର କୃଷ୍ଣଚନ୍ଦ୍ର ନାଏକ ନାମକ ଜଣେ ଯୁବକ ମହିଳାଙ୍କ ଘରେ ପସି ଅସଦାଚରଣ କରିବା ସହ ମହିଳାଙ୍କ ଠାରୁ ୫୦ହଜାର ଟଙ୍କା ଲୁଟି ନେଇଥିଲେ ।

ଏନେଇ ମହିଳା ଜଣକ ପୋଲିସ ଆଶ୍ରୟ ନେବାପାଇଁ ଚେଷ୍ଟା କରିଥିଲେ ମାତ୍ର ଗାଁଲୋକ ଏହାକୁ ବିରୋଧ କରିବା ସହ ଗାଁ କଥା ଗାଁରେ ତୁଟାଇବାକୁ କହିଥିଲେ। ତେବେ ସମାଧାନରେ ବିଳମ୍ବ ଏବଂ ଲୋକଲଜ୍ୟା ସହି ନପାରି ମହିଳା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଭାଇ ଓ ଝିଅ କହିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଗାଁରେ ପହଁଚିଥିଲା ।

ମାତ୍ର ଗାଁ ଲୋକ ମହିଳାଙ୍କ ମୃତଦେହକୁ ଶ୍ମଶାନରେ ନିଆଁ ଲଗାଇ ଦେଇ ଚାଲି ଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ଯୁବକଙ୍କ ପରିବାର ଗାଁରୁ ଫେରାର ହୋଇଯାଇଛନ୍ତି । ଅନ୍ୟପଟେ ଗ୍ରାମବାସୀ ପୋଲିସ ଆଗରେ ମୁହଁ ଖୋଲୁ ନଥିବା ଦେଖିବାକୁ ମିଳିଛି। ମଶାଣିରୁ ପୁଲିସ ହାଡ଼ ପାଉଁଶ ଜବତ କରିଥିବା ବେଳେ କାର୍ୟାନୁଷ୍ଠାନ ଗ୍ରହଣ କରାଜିବ ବୋଲି ପୋଲିସ କହିଛି ।