ମହିଳା ଫୁଟବଲ ପ୍ରତିଯୋଗିତା ଉଦ୍ଘାଟନ କଲେ କ୍ରୀଡ଼ାମନ୍ତ୍ରୀ

ପ୍ରଥମ ମ୍ୟାଚ୍ରେ ୧୦-୦ ଗୋଲରେ ଦେବଗଡ଼ ବିଜାୟୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘ ଓ ଫୁଟବଲ ଆସୋସିଏସନ ଓଡିଶା ମିଳିତ ଆନୁକୂଲ୍ୟରେ ଆଜି ଓଏସଏପି ଷ୍ଟାଡିୟମରେ ଆନ୍ତଃଜିଲ୍ଲା ପିସି ବେହେରା ସିନିୟର ମହିଳା ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା ଉଦ୍ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବରେ ୨ୟ ଓଏସଏପିର ଦୁର୍ଗପତି ମନୋଜ ପୁରୋହିତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତିପରାମ ମ଼ାଝୀ, ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ତାପସ ରାୟ ଚୌଧୁରୀ, ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ଅଧିକାରୀ ସୁଶୀଲ ମିଶ୍ର, ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକରୀ ସଭାପତି ବିଜୟ ବେହେରା, ଉପ-ସଭାପତି ଜୀବନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ପ୍ରଥମ ମ୍ୟାଚ୍ ବଲାଙ୍ଗିର ଏବଂ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଦେବଗଡ଼ ପ୍ରଥମରୁ ଚାପ ସୃଷ୍ଟି କରି ପ୍ରଥମ ଭାଗରେ ୫ଟି ଗୋଲ ଏବଂ ୨ୟ ଭାଗରେ ୫ଟି ଗୋଲ ଦେଇ ୧୦-୦ ଗୋଲରେ ବିଜୟୀ ହୋଇଛି। ଦେବଗଡ଼ ମହିଳା ଦଳର ନମିତା ମୁଣ୍ଡା ଏହି ମ୍ୟାଚରେ ୪ଟି ଗୋଲଦେଇ ସର୍ବଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ ହୋଇଛନ୍ତି। ଏହି ଖେଳକୁ ଶୁଲତାନା ପ୍ରଧାନ, ଅମ୍ବିକା ପ୍ରଧାନ, ଧୁଶିଳା ପ୍ରଧାନ, ମ୍ୟାଚ କମିଶନର ଦୁର୍ଗା ମାଧବ ନାୟକ, ଫୁଟବଲ ଆସୋସିଏସନ ଓଡିଶାର ରବି ମହାପାତ୍ର ପରିଚାଳନା କରିଥିବାବେଳେ ଦ୍ୱିତୀୟ ମ୍ୟାଚ ଭଦ୍ରକ ଓ ଜଗସିଂପୁର ମଧ୍ୟରେ ଅନୁଷ୍ଠିତ ହେବ।