ପ୍ରେମରେ ପ୍ରତାରଣା : ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ବିପିଏମ୍ ଫେରାର୍

ଦାରିଙ୍ଗବାଡି, ଏନ୍ଏନ୍ଏସ୍ : ପ୍ରଥମେ ପ୍ରେମ ତା’ପରେ ପ୍ରତିଶୃତି ଆଉ ପରେ ଶାରୀରୀକ ସମ୍ପର୍କ ଏବଂ ଶେଷରେ ଧୋକା । ଏହିଭଳି ଘଟଣା ବର୍ତମାନର ଯୁଗରେ ଅନେକ ସ୍ଥାନରେ ଦେଖାଯାଉଥିବା ବେଳେ ଏହି ଭଳି ଘଟଣାରୁ ବାଦ ପଡ଼ିନାହାନ୍ତି ଉଚ୍ଚଶିକ୍ଷିତ କର୍ମଚାରୀମାନେ। ଜଣେ ଡାକ୍ତରାଣୀଙ୍କୁ ସେହି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ (ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ) ବିବାହର ପ୍ରତିଶୃତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ କରିଥିବା ବେଳେ ଶେଷ ମୁହୁର୍ତରେ ବିବାହ କରିବା ପରିବର୍ତ୍ତେ ପ୍ରତାରଣା କରି ଏ ବାବଦରେ କାହାରିକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଭଳି ଘଟଣା ଦାରିଙ୍ଗବାଡ଼ିଥାନା ଅଂଚଳରେ ଘଟିଛି।

ଏନେଇ ଡାକ୍ତରାଣୀ ପ୍ରଜ୍ଞାରାଣୀ ଦାରିଙ୍ଗବାଡ଼ି ଥାନାରେ ଗତ ୧୭ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ସହିତ ବର୍ତମାନ ଅମୁଲ୍ୟ ତାଙ୍କୁ ଜୀବନରେ ମାରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି।

ସୂଚନା ପ୍ରକାରେ ଗତ ୧୦ ବର୍ଷ ପୁର୍ବରୁ ପ୍ରଜ୍ଞାରାଣୀ ନାଏକ(୩୪) ନାମକ ମହିଳା ଆୟୁଷ ଡାକ୍ତର ଭାବରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇ କାର୍ଯ୍ୟ କରିଆସୁଥିଲେ। ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବରେ କାର୍ଯ୍ୟ କରିଆସୁଥିବା ବେଳେ ସେ ବିଭିନ୍ନ ସମୟରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ। ଏହି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଅମୁଲ୍ୟ କୁମାର ପାଣିଗ୍ରାହୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଥିଲା। ଏହାପରେ ଗତ ୨ବର୍ଷ ହେବ ପ୍ରଜ୍ଞାରାଣୀଙ୍କ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେପୁଟେସନ ହୋଇଥିଲା। ଏହି ସମୟରେ ପ୍ରଜ୍ଞାରାଣୀଙ୍କୁ ବିବାହର ପ୍ରତିଶୃତି ଦେଇ ବିପିଏମ ବିଭିନ୍ନ ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ କରି ଆସୁଥିଲେ। ଡାକ୍ତରାଣୀ ଜଣକ ଅମୁଲ୍ୟଙ୍କୁ କେବେ ବିବାହ କରିବ ବୋଲି ପଚାରିଲେ ହିଁ ଆଉ କିଛି ଦିନ ଯାଉ ବିବାହ କରିବା ବୋଲି ମିଥ୍ୟା ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଆସୁଥିଲେ । ତେବେ ବହୁ ଦିନ ଧରି ଏହିଭଳି ଘଟଣା ଘଟି ଆସୁଥିବା ବେଳେ ଡାକ୍ତରାଣି ଜଣକ ପୁଣିଥରେ କେବେ ବିବାହ କରିବ ବୋଲି କହିବାରୁ ଚଳିତ ମାସ ୨୪ ତାରିଖରେ ବିବାହ କରିବା ନେଇ ଅମୁଲ୍ୟ ପ୍ରତିଶୃତି ଦେଇଥିଲେ। ଏନେଇ ଅମୁଲ୍ୟଙ୍କ ପରିବାର ଲୋକେ ମଧ୍ୟ ଅବଗତ ଥିବା ଡାକ୍ତରାଣୀ ଜଣକ କହିଛନ୍ତି।

ଏହାପରେ ଗତ ୧୭ ତାରିଖରେ ପ୍ରଜ୍ଞା ଅମୂଲ୍ୟଙ୍କୁ ବିବାହ କରିବା ସମ୍ପର୍କରେ ପୁଣି କହିବାରୁ ଅମୁଲ୍ୟ ପ୍ରଜ୍ଞାଙ୍କୁ ତମେ ଜଣେ ହରିଜନ ଝିଅ ବୋଲି ମୁଁ ଜାଣିନଥିଲି, ଏବେ ଜାଣିପାରିଛି ତେଣୁ ମୁଁ ତୁମକୁ ବିବାହ କରିପାରିବି ନାହିଁ ବୋଲି ରୋକଠୋକ ଭାବରେ ମନା କରିଥିଲେ। ବିବାହ କଲେ ତାଙ୍କ ଘରେ ତାଙ୍କୁ ପ୍ରବେଶ କରାଇବେ ନାହିଁ କହି ପ୍ରଜ୍ଞାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଲଜ କରି ମାଡ଼ ମଧ୍ୟ ମାରିଥିଲେ। ସେ ତାଙ୍କୁ ବିବାହ କରିବେ ନାହିଁ । ଚାପ ପ୍ରୟୋଗ କଲେ ପ୍ରଜ୍ଞାଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦଇଥିବା ଅଭିଯୋଗ ହୋଇଛି।

ଏନେଇ ଡାକ୍ତରାଣୀ ପ୍ରଜ୍ଞାରାଣୀ ଦାରିଙ୍ଗବାଡ଼ି ଥାନାରେ ଗତ ୧୭ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ସହିତ ବର୍ତମାନ ଅମୁଲ୍ୟ ତାଙ୍କୁ ଜୀବନରେ ମାରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ଥାନାରେ ଏକ ମାମଲା ରଜୁ କରାଯାଇଥିବା ବେଳେ ଜାତିଆଣ ଆକ୍ଷେପ କରିଥିବା ଯୋଗୁ ଏହି ମାମଲାର ତଦନ୍ତ ଡି.ଏସ.ପି ଡି.ତିରୁପତି ରାୟ ପଟ୍ଟନାୟକ କରୁଥିବା ଜଣାପଡିଛି । ଏନେଇ ଦାରିଙ୍ଗବାଡ଼ି ଥାନାରେ ଏକ ମାମଲା ରୁଜୁ କରାଯାଇ ଏସସି ,ଏସଷ୍ଟି ଆକ୍ଟ ଅନୁସାରେ ତଦନ୍ତ ଚାଲିଥିବା ନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଅଭିଯୋଗ ଆଣିଥିବା ଡାକ୍ତରାଣୀଙ୍କ ଡାକ୍ତରୀ ମାଇନା କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି। ତେବେ ଘଟଣା ପରଠାରୁ ଅଭିଯୁକ୍ତ ବିପିଏମ ଅମୁଲ୍ୟ କୁମାର ପାଣିଗ୍ରାହୀ ଫେରାର ହୋଇଯାଇଥିବା ବେଳେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ଖୁବଶୀଘ୍ର ଅଭିଯକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।