ହୋମ୍ ଆଇସୋଲେସନରେ ଥିବା ମହିଳାଙ୍କ ଆତ୍ମହତ୍ୟା

ସମ୍ବଲପୁର,ଏନ୍ଏନ୍ଏସ୍ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଚାନ୍ଦନିମାଲ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ଅବସ୍ଥାନ କରି ବକ୍ସମାସ୍ଥିତ ଘରକୁ ଫେରି ହୋମ୍ ଆଇସୋଲେସନରେ ଥିବା ପଲ୍ଲବୀ ପଶାୟତ (୨୬) ବୁଧବାର ସନ୍ଧ୍ୟାରେ ଘରେ ଓଢ଼ଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏନେଇ କୁଚିଣ୍ଡା ଥାନା ପୁଲିସ ମାମଲା ରୁଜୁ ପୂର୍ବକ ତଦନ୍ତ ଚଳାଇଛି। ଆତ୍ମହତ୍ୟାର କାରଣ ଜଣା ପଡ଼ି ନଥିଲେ ହେଁ ହୋମ୍ ଆଇସୋଲେସନରେ ଥିବା ସମୟରେ ପରିବାର ଓ ପାଖ ପଡ଼ୋଶୀଙ୍କ ଦୂରେଇ ଦୂରେଇ ରହିବା ଜନିତ ମାନସିକ ଚାପରୁ ପଲ୍ଲବୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ବକ୍ସମାର ପପନୁ ପଶାୟତ ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇଥିବାବେଳେ ୫ ବର୍ଷ ପୂର୍ବେ ସେଠାରେ ସ୍ଥାନୀୟ ଯୁବତୀ ପଲ୍ଲବୀଙ୍କୁ ପ୍ରେମ ବିବାହ କରିଥିଲେ। ପପନୁ ପଲ୍ଲବୀଙ୍କୁ ତାଙ୍କ ଘରକୁ ମଧ୍ୟ ଆଣିଥିଲେ। ସେମାନଙ୍କର ଏକ ଚାରି ବର୍ଷର ପୁତ୍ର ସନ୍ତାନ ଅଛି। ଚଳିତ ବର୍ଷ ପପନୁ ଆନ୍ଧ୍ରପ୍ରଦେଶ କାମ କରିବାକୁ ନଯାଇ ଗାଁରେ ଏକ କିରାନା ଦୋକାନ କରିଥିବାବେଳେ ପଲ୍ଲବୀ ପୁଅକୁ ବାପା ପାଖରେ ଛାଡ଼ି ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇଥିଲେ। ଲକଡାଉନ୍ କୋହଳ ହେବା ପରେ ପଲ୍ଲବୀ ଘରକୁ ଫେରିବାକୁ ଚାହିଁବାରୁ ପପନୁ ତାଙ୍କ ନାମ ସରକାରୀ ପୋର୍ଟାଲରେ ପଞ୍ଜୀକୃତ କରାଇଥିଲେ। ତଦନୁଯାୟୀ ଗତମାସ ପଲ୍ଲବୀ ଏଠାକୁ ଫେରି ଚନ୍ଦନୀମାଲ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ରହିବା ପରେ ଗତ ୩୧ ତାରିଖ ବକ୍ସମା ଘରକୁ ଫେରି ହୋମ୍ ଆଇସୋଲେସନରେ ଥିଲେ।