ମାତୃ ଦିବସରେ ମହିଳାଙ୍କୁ ପିଟି ପିଟି ହତ୍ୟା, ସ୍ୱାମୀ ଓ ପୁଅ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ଆଜି ସାରା ଦେଶ ମାତୃ ଦିବସ ପାଳନ କରୁଥିବା ବେଳେ ଆଜି କାଲିମେଳା ବ୍ଲକରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାତୃ ଦିବସରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ତାର ପୁଅ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ନିଜେ ରୋଜଗାର କରିଥିବା ଅର୍ଥକୁ ଦେବାକୁ ମନା କରିବାରୁ ଏଭଳି ଉନ୍ମତ ହତ୍ୟାକାଣ୍ଡ ଘଟାଇଛନ୍ତି।

ପୁଲିସ ସୂଚନା ଅନୁସାରେ ମହିଳା ଜଣଙ୍କ କାଲିମେଳା ବ୍ଲକ୍ ବଡବାଦିଲ ଗ୍ରାମର ରମି ମାଡ଼କାମି। ସେ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ତାକୁ ବିକି ୨୭୦୦ ଟଙ୍କା ପାଇଥିଲେ। ତେବେ ତାଙ୍କ ସ୍ୱାମୀ ଓ ପୁଆ ତାଙ୍କୁ ଏହି ଟଙ୍କା ମାଗିଥିଲେ। କିନ୍ତୁ ମହିଳା ଜଣଙ୍କ ତାଙ୍କୁ ଟଙ୍କା ଦେବାକୁ ମନା କରିଦେବାରୁ ସେମାନଙ୍କ ମଧ୍ୟରେ କଳି ହୋଇଥିଲା। ପରେ ସ୍ୱାମୀ ଓ ପୁଅ ରମିକୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ତେବେ ସେଠାରୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।