ଅତିରିକ୍ତ ଦାୟିତ୍ୱରୁ ଫେରିଗଲେ ୯ ଆଇଏଏସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ୍-୧୯ ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ୱରେ ଥିବା ୯ ଜଣ ବରିଷ୍ଠ ଆଇଏଏସ୍ଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି। ଏହି ଅତିରିକ୍ତ ଦାୟିତ୍ୱରୁ ୯ ଆଇଏଏସ୍ଙ୍କୁ ଅବ୍ୟାହତି ଦିଆଯାଇଥିବାବେଳେ ସେମାନେ ନିଜ ପୂର୍ବ ପଦବୀରେ କାର୍ଯ୍ୟ କରିବେ।
ଏହି ୯ ବରିଷ୍ଠ ଆଇଏଏସ୍ମାନେ ହେଉଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନେଇ ନୋଡାଲ୍ ଅଫିସର ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଥିବା ବିଶାଲ ଦେବ, ୧୦୪ ହେଲ୍ପଲାଇନ୍ ନମ୍ବର ଅପରେସନ୍ ଦାୟିତ୍ୱରେ ଥିବା କ୍ରିଷନ୍ କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ସହାୟତା ଦାୟିତ୍ୱରେ ଥିବା ଅରବିନ୍ଦ ଅଗ୍ରୱାଲ, ମୁଖ୍ୟ ଶାସନ ସଚିବଙ୍କ ଓଏସ୍ଡି ଥିବା ସଚିନ୍ ରାମଚନ୍ଦ୍ର ଯାଦବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ସହାୟତା ପାଇଁ ଦାୟିତ୍ୱରେ ଥିବା ଭୂପେନ୍ଦ୍ର ସିଂହ ପୁନିଆ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ସଚିବଙ୍କୁ ସହାୟତା କରିବା ତଥା କୋଭିଡ୍-୧୯ ପରିଚାଳନା ପାଇଁ ଆଇଇସିର ଟିମ୍ ଲିଡ୍ର ଇନ୍ଚାର୍ଜ ଥିବା ରଶ୍ମିତା ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ର ମୁଖ୍ୟ ଉପଦେଷ୍ଟାଙ୍କ ଓଏସ୍ଡି ଦାୟିତ୍ୱରେ ଥିବା ଭିନୀଲ କ୍ରିଷ୍ଣା ଏବଂ କୋଭିଡ୍-୧୯ ସଂକ୍ରାନ୍ତ ପ୍ରଶିକ୍ଷଣ ଓ ସଚେତନତା ଦାୟିତ୍ୱରେ ଥିବା ଅନୁ ଗର୍ଗ। ଏମାନଙ୍କୁ କୋଭିଡ୍-୧୯ ପାଇଁ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି।