ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ପୁର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଷୀଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ରେଳ ଷ୍ଟେସନର ଅତିଥି ଶାଳାରେ ଉଭୟେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷ କରି ବଲାଙ୍ଗିରର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ରେଳଯାତ୍ରା ଜନିତ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଷୀଙ୍କୁ ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ଦିନର ଦାବି କଣ୍ଟାବାଞ୍ଜି ଠାରେ ଏକ ରେଳ ୱେଗନ କାରାଖାନା ପାଇଁ ପୁନଃ ଦାବୀ ପ୍ରସ୍ତୁତ କରିଥିଲେ। ଯହେତୁ ବଲାଙ୍ଗିର ଏକ ଦାଦନ ପ୍ରବଣ ଜିଲ୍ଲା।
ଏହି ସମସ୍ୟା ଦୂର କରିବାକୁ କଣ୍ଟାବାଞ୍ଜି ଠାରେ ଉପଲବ୍ଧ ଥିବା ୭୦୦ ଏକର ଜମିରେ ରେଳ ସମ୍ବନ୍ଧୀୟ କୌଣସି ଏକ ଶିଳ୍ପ ପ୍ରତିଷ୍ଠା ହୋଇ ପାରିଲେ ଦାଦନ ସମସ୍ୟାର ଏକ ସା୍ଥୟୀ ସମାଧାନର ବାଟ ଫିଟିବ ବୋଲି ଶ୍ରୀ ମିଶ୍ର କହିଥିଲେ। ମହାପ୍ରବନ୍ଧକ ଏହାକୁ ନେଇ ସକାରାତ୍ମକ ଭାବରେ ଚିନ୍ତା କରିବେ ବୋଲି କହିଥିଲେ। ଅନ୍ୟ ଦାବିମାନଙ୍କ ମଧ୍ୟରେ ବଲାଙ୍ଗିର ରେଳ ଷ୍ଟେସନରେ ଏକ ଉଚ୍ଚ ମାନର ପ୍ରତିକ୍ଷାଳୟ, ଦେଓଗାଁ ରେଳ ଷ୍ଟେସନର ଉନ୍ନତିକରଣ ସହିତ ଜାତୀୟ ରାଜପଥରୁ ଷ୍ଟେସନ ପର୍ଯ୍ୟନ୍ତ ପଥର ଉନ୍ନତିକରଣ, ଟିଟିଲାଗଡରୁ ବଲାଙ୍ଗିର ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ଏକ ସୁପରଫାଷ୍ଟ ଏକ୍ସପ୍ରେସ ଗଡିବା, ରେଲୱେ କଲୋନୀ ସ୍ଥିତ ଖେଳପଡିଆର ଉନ୍ନତିକରଣ ସହ ଏଠାରେ ବେଡମିଣ୍ଟନ ଓ ଟେବୁଲ ଟେନିସ ଇନ୍ଡୋର ସ୍ଥାପନ କରିବା , ଦୃତଗାମୀ ରେଳ ଯଥା ଦୁର୍ଗ-ପୁରୀ ଓ ସିରିଡି- ସାଇନାଥ ରେଳରେ ବଲାଙ୍ଗିର କୋଟା ଭାବରେ ସିଟ ସଂରକ୍ଷଣ ରଖିବାକୁ ନେଇ ଆଲୋଚନା ହୋଇଥିଲା।
ତାଛଡା ସମ୍ବଲପୁର ରୁ ପୁରୀ ଯାଉଥିବା ଏକ୍ସପ୍ରେସ ରେଳକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ଦାବୀ ଜଣାଇଥିଲେ। ଯେହେତୁ ଏହି ଦାବୀର ଯର୍ଥାଥତା ରହିବା ସହ ଏହା ବଲାଙ୍ଗିରବାସୀଙ୍କ ବହୁ ଦିନର ଦାବୀ ରହିଛି। ଆଜି ନହେଲେ ଆସନ୍ତା ଦିନରେ ଜନତାଙ୍କ ଏହି ଦାବି ପୁରଣ କରିବାକୁ ହେବ। ତେଣୁ ଏହି ଦାବୀଗୁଡିକ ଉପରେ ଆଜିଠାରୁ ହିଁ କାମ ଆରମ୍ଭ କରିବା ଆବଶ୍ୟକ ବୋଲି ମହାପ୍ରନ୍ଧକ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ତାସହ ଅବଶ୍ୟକ ରେଳ ଡବା ରକ୍ଷାଣାବେକ୍ଷଣ ପାଇଁ ଏଠି ଶିଘ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଆଲୋଚନା ସମୟରେ କଦମ ପଡା ସ୍ଥିତ ରେଳ ଭୁତଳ ପଥ ନିମ୍ନମାନର ହୋଇଥିବାରୁ, ସେଠାରେ ସବୁବେଳେ ପାଣି ଜମିରହୁଛି। ଏଠାରେ ଥିବା ତୃଟିର ସମାଧାନ ଯଥା ଶିଘ୍ର କରା ନଗଲେ ସ୍ଥାନୀୟ ଲୋକେ କୌଣସି ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ପାରନ୍ତି ବୋଲି ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ଚେତାଇ ଦେଇଥିଲେ। ତେବେ ମହାପ୍ରବନ୍ଧକ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।