ଆଜିଠାରୁ ସଂସଦରେ ଆରମ୍ଭ ହେଲା ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ତେବେ ଏହି ଅଧିବେଶନରେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ପାଇଁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହା ୨୦୧୯ର ଶେଷ ଅଧିବେଶନ ହୋଇଥିବାବେଳେ ଆଜି ଏହି ଶୀତକାଳୀନ ଅଧିବେଶନରେ ମୁଖ୍ୟ ବିଷୟ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ସେହିପରି ଏହି ଅଧିବେଶନ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସଭାର ଐତିହାସିକ ଅଧିବେଶନ ଉପଲକ୍ଷେ ରବିବାର ଦିନ ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ରାଜ୍ୟସଭାର ପ୍ରଥମ ଅଧିବେଶନ ମେ ୧୯୫୨ରୁ ଆରମ୍ଭ କରି ଏଯାବତ୍‌ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଏଥିରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ପହଞ୍ଚି ଏହି ଅଧିବେଶନାର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ରାଜ୍ୟସଭାର ୨୫୦ତମ ଅଧିବେଶନ ହୋଇଥିବା ବେଳେ ଚଳିତ ବର୍ଷ ୨୬ତାରିଖରେ ୭୦ତମ ସମ୍ବିଧାନ ଦିବସ ପୂର୍ଣ୍ଣ ହେଉଛି ବୋଲି କହିଥିଲେ।

ସ୍ଥାପନା ଠାରୁ ରାଜ୍ୟସଭା ସମ୍ପାଦନ କରିଥିବା କାର୍ୟ୍ୟପାଳିକା କାର୍ୟ୍ୟଗୁଡ଼ିକୁ ଏକତ୍ରିକରଣ ଓ ବିଶ୍ଳେଷଣ କରିବାରେ ରାଜ୍ୟସଭା ସଚିବାଳୟ ଏହା ପ୍ରଥମ ଉଦ୍ୟମ। ପ୍ରଥମ ଅଧିବେଶନରୁ ଆରମ୍ଭ କରି ୨୪୯ତମ ଅଧିବେଶନଯାଏଁ ରାଜ୍ୟସଭା ୩, ୮୧୭ଟି ବିଲ୍‌ ପାସ୍‌ କରିଛି। ବିଭିନ୍ନ ସମୟରେ ଲୋକସଭା ଭାଙ୍ଗିଥିବାରୁ ସେଥିରୁ ୬୦ଟି ବିଲ୍‌ ବିଫଳ ହୋଇଛି।

ରାଜ୍ୟସଭା ଦ୍ୱାରା ୬୩ଟି ବିଲ୍‌ ମଞ୍ଜୁର ହୋଇଥିବା କଥା ବିଚାର କରାଯାଉଥିବା ବେଳେ ଏହାଦ୍ୱାରା ଅନୁମୋଦିତ ଆଉ ଦୁଇଟି ବିଲ୍‌ ଲୋକସଭାବେ ଆଗତ ହୋଇନାହିଁ। ୧୯୫୨ ମସିହାରୁ ହୋଇଥିବା ସାଧାରଣ ନିର୍ବାଚନ ପର ଠାରୁ ପାର୍ଲାମେଣ୍ଟ୍‌ ସମୁଦାୟ ୩, ୮୧୮ଟି ଆଇନ୍‌ ପ୍ରଣୟନ କରିସାରିଲାଣି।