ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ମଦ ଫ୍ୟାକ୍ଟ୍ରି ଉପରେ ଆଜି ସକାଳେ ଖୋର୍ଦ୍ଧା ସ୍ପେଶାଲ୍ ସ୍କ୍ୱାଡ, ବେଗୁନିଆ ଥାନା ଓ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଘଟଣାସ୍ଥଳରୁ ୧୫୦ ଲିଟର ଦେଶି ମଦ, ନଗଦ ୧୭ ଲକ୍ଷ ୬୦ ହଜାର ଟଙ୍କା, ଏଥି ସହିତ ମଦ ପାଉଚ୍ ସିଲ୍ ପାଇଁ ବ୍ୟବହୃତ ୨ଟି ମେସିନ, ଗୋଟିଏ ଜେନେରେଟର ଏବଂ ଲାଲ ରଙ୍ଗର ଏକ କାର ଜବତ ହୋଇଛି । ଘଟଣାରେ ଫ୍ୟାକ୍ଟ୍ରି ମାଲିକାଣୀ ମୀନତି ପାଇକରାୟଙ୍କୁ ଗିରଫ କରାଯାଇଛି । ତାଙ୍କ ସ୍ୱାମୀଙ୍କ ନାମ ରଜନୀକାନ୍ତ ପାଇକରାୟ । ତାଙ୍କ ଘର ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ବୋଲି ଜଣାପଡିଛି । ଘଟଣାରେ ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ୍ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।