ବନ୍ୟପ୍ରାଣୀ ମାଂସ ଓ ହରିଣ ଶିଙ୍ଗ ଜବତ

ତେଲକୋଇ/କେନ୍ଦୁଝର,ଏନ୍ଏନ୍ଏସ୍: ତେଲକୋଇ ଘୁଣ୍ଟପଶି ଠାରେ ପଶୁ ଶିକାରୀ ଙ୍କ ଘରେ ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉ ରେ ଜନ୍ତୁ ମାଂସ ଓ ହରିଣ ଶିଙ୍ଗ ଜବତ ହୋଇଛି । ମିଳିଥିବା ଖବର ଅନୁସାରେ ତେଲକୋଇ ଘୁଣ୍ଟପସି ଠାରେ ଜନ୍ତୁ ଶିକାର କରାଯାଇ ଥିବା ବନବିଭାଗକୁ ଖବର ମିଳିଥିଲା । ଖବର ଆଧାରରେ ପୋଲିସ ଓ ବନବିଭାଗ ଘୁଣ୍ଟପସି ଗ୍ରାମର ବାବୁଲି ମୁଣ୍ଡା(୪୦)ଙ୍କ ଘରେ ଶନିବାର ସକାଳେ ଚଢ଼ାଉ କରିଥିଲେ । ଚଢ଼ାଉବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ବନବିଭାଗ ଓ ପୋଲିସ ତାଙ୍କ ଘରୁ ଶିକାର ବରହା ମାଂସ ଓ ଏକ ହରିଣ ଶିଙ୍ଗ ଜବତ କରିଛନ୍ତି । ଶିକାରୀ ମାନେ ଘୁଂଣ୍ଟପସି ନିକଟସ୍ଥ ହନୁମନ୍ତିଆ ସଂରକ୍ଷିତ ଜଙ୍ଗଲରୁ ଏହି ଜୀବଜନ୍ତୁ ଶିକାର କରିଥିବା ସୂଚନା ମିଳିଛି । ବନବିଭାଗ ଓ ପୋଲିସ ଶିକାରୀ ଓ ତାର ଅନ୍ୟ ସହଯୋଗୀଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି ।