ସ୍ୱାମୀକୁ ମାରି ସ୍ତ୍ରୀର ଆତ୍ମ ସମର୍ପଣ

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସଦେଇପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତ୍ରିରେ ସ୍ୱାମୀକୁ ଟାଙ୍ଗିଆରେ ହାଣି ସ୍ତ୍ରୀ ହତ୍ୟା କରିଛି। ହତ୍ୟା ପରେ ସକାଳେ ସ୍ତ୍ରୀ ବାଲିକୁଦା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପରେ ପୁଲିସ ଘଟଣାସ୍ଥଳକୁ ଯାଇ ମୃତ ଦେହ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ହେଲେ ସଦେଇପୁର ଗାଁର ସୁଶାନ୍ତ ସାମଲ।

ବାଲିକୁଦା ଥାନା ଆଇଆଇସି ସର୍ବେଶ୍ୱର ବେହେରାଙ୍କ ସୂଚନା ଅନୁସାରେ ଉଭୟ ସୁଶାନ୍ତ ସାମଲ(ସ୍ୱାମୀ) ଓ କବିତା ସାମଲ(ସ୍ତ୍ରୀ) ମୂଲ ଲାଗି କାମ କରନ୍ତି। ତେବେ ପ୍ରତିଦିନ ସ୍ୱାମୀ ମଦ୍ୟପାନ କରି ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ। ଫଳରେ ଆଉ ସହ୍ୟ ନ କରିପାରି ସ୍ତ୍ରୀ ଜଣଙ୍କ ଏଭଳି ଏକ ପଦକ୍ଷେପ ନେଇଛନ୍ତି। ସ୍ୱାମୀ ଶୋଇଥିବା ବେଳେ ସ୍ତ୍ରୀ ଏକ ଟାଙ୍ଗିଆରେ ତାଙ୍କୁ ହାଣି ହତ୍ୟା କରିଥିଲେ ଓ ପରେ ବାଲିକୁଦା ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।