କଙ୍କଡ଼ାହାଡ଼: ଘରୋଇ କଳି କାଳ ସାଜିଲା, ଯେଉଁଥି ପାଇଁ ସ୍ତ୍ରୀଙ୍କୁ ନିଜ ଜୀବନ ହାରିବାକୁ ପଡ଼ିଲା। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ୱାମୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗାଁରେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଲଳିତ ସାହୁ ଫେରାର ରହିଛି।
ସୂଚନା ଅନୁଯାୟୀ, ଲଳିତ ୨ବର୍ଷ ତଳେ ସେହି ଗାଁର କୃଷ୍ଣ ସାହୁଙ୍କ ଝିଅ ମିତା ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଛି। ଗାଁ ଲୋକଙ୍କ ଦ୍ୱାରା ଅନେକ ଥର ଏହାର ସମାଧାନ କରାଯାଇଛି। ମିତା ୫ମାସର ଗର୍ଭବତୀ ଥିବାବେଳେ ସୋମବାର ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ବିଳମ୍ବିତ ରାତିରେ ଏକ ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ବହାବିରୋଡ଼ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ତେବେ ମଙ୍ଗଳବାର ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ ବିରୋଧ ଯୋଗୁ ପୁଲିସ ସେଠାରୁ ଫେରିଆସିଥିବା ସୂଚନା ମିଳିଛି।