ନିର୍ଭୟା ଦୋଶୀଙ୍କୁ ଫାଶୀଦେବାରେ ବିଳମ୍ବ କାହିଁକି ?

ନିର୍ଭୟା ମାମଲାର ଫାଶୀ ଦଣ୍ଡାଦେଶକୁ ନେଇ ଲୋକଙ୍କ ଭିତରେ ଯେତେ ଉତ୍ସୁକତା ବୃଦ୍ଧି ପାଉଛି, ସେତେ ଘୁଞ୍ଚି ଚାଲିଛି ତାରିଖ ପରେ ତାରିଖ । ବିଳମ୍ବିତ ନ୍ୟାୟ ପାଇଁ ଲୋକ ଆଇନକାନୁନକୁ ଆଙ୍ଗୁଳି ଦେଖାଇବାକୁ ବି ପଛାଇ ଯାଉନାହାନ୍ତି । କେବଳ ସେତିକି ନୁହେଁ ଜନଅସନ୍ତୋଷ ବି ବୃଦ୍ଧି ପାଇବାରେ ଲାଗିଛି । ଏହି ସମ୍ବେଦନଶୀଳ ଘଟଣାରେ ଲୋକେ ଏତେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି, କୌଣସି ପ୍ରକାର କୋର୍ଟ ରାୟ ସାନ୍ତ୍ୱନା ଦେଇପାରୁନି କି ବିଳମ୍ବକୁ ଲୋକେ ବରଦାସ୍ତ କରିପାରୁନାହାନ୍ତି । ଜଘନ୍ୟ ଅପରାଧ କରିଥିବା ଲୋକଙ୍କୁ ଶୀଘ୍ର ଫାଶୀ ଦେଇଦେବାକୁ ମାନବିକତାର ସ୍ୱର ସାରା ଦେଶରେ ତେଜିବା ବେଳେ ଫାଶୀର ତାରିଖ ବଦଳାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଇନର ସଦୁପଯୋଗ କି ଦୂରୁପଯୋଗ ଯାହା ବି କରନ୍ତୁ ବ୍ୟବସ୍ଥା ରହିଛି ବୋଲି ତ ତାହାର ଉପଯୋଗ କରି ଫାଶୀ ତାରିଖକୁ ଘୁଞ୍ଚାଇ ପାରୁଛନ୍ତି ସେମାନେ। ନିର୍ଭୟା ମାମଲାର ଘଟଣାବଳୀର ବିଭିନ୍ନ ଦିଗକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ବାରମ୍ବାର ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଦେଖିବାକୁ ମିଳିଛି । ଏଥିପାଇଁ ଲୋକଙ୍କ ଭିତରେ ଅସନ୍ତୋଷ ତେଜିବା ସହ ନ୍ୟାୟିକ ବ୍ୟବସ୍ଥା ପ୍ରତି ମଧ୍ୟ ଆସ୍ଥା ହରାଇ ସାରିଲେଣି । ଲୋକଙ୍କର ଧାରଣା ଆଇନ ବ୍ୟବସ୍ଥା ପ୍ରତି ଯାହା ଥିଲା, ଆଜି ତାହା ଏକ ପ୍ରଶ୍ନବାଚୀ ହୋଇ ସମସ୍ତଙ୍କ ଆଗରେ ଛିଡ଼ା ହୋଇଛି । ପ୍ରାୟ ଅଧିକାଂଶ ଲୋକଙ୍କର ଧାରଣା, ଏହା ଏକ ଆଇନ ବ୍ୟବସ୍ଥାର ପ୍ରହସନ । ଦିନ ପରେ ଦିନ ଗଡ଼ି ଚାଲିଥିଲେ ସୁଦ୍ଧା ଜଘନ୍ୟ ଅପରାଧୀଙ୍କୁ ବଞ୍ଚେଇ ରଖିବାର ଇଏ ଏକ ପ୍ରଶାସନିକ ଚାଲ ବୋଲି କେହି କେହି ବି କହୁଛନ୍ତି ।

ବାସ୍ତବ କଥାକୁ ଯଦି ତର୍ଜମା କରାଯାଏ, ତାହେଲେ ପ୍ରକୃତ କଥା ହିଁ ଲୋକଲୋଚନକୁ ଆସିପାରିବ । କାହିଁକି ସେମାନଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ବିଳମ୍ବ ଘଟୁଛି । କାହିଁକି ସେମାନେ ଆଉ କିଛିଦିନ ବଞ୍ଚିଯିବାକୁ ଏମିତି ନାଟକ ଆରମ୍ଭ କରୁଛନ୍ତି । ସେମାନେ କଣ ଆଇନର ପରିସର ବାହାରକୁ ଯାଇ ଏସବୁ ବାହାନା ଦେଖାଇବାକୁ ସେମାନଙ୍କ ସପକ୍ଷରେ ଲଢ଼ୁଥିବା ଓକିଲ ବାରମ୍ବାର ଆଇନର ଅପବ୍ୟବହାର କରି ବାଟବଣା କରୁଛନ୍ତି କି? ଏ ସମସ୍ତ ପ୍ରଶ୍ନକୁ ଯଦି ଯୋଡ଼ି ଗୋଟିଏ ଉତ୍ତର କରାଯିବ, ବୋଧେ ଏଇଆ ହେବ-ସେମାନେ ଆଇନକୁ ବ୍ୟବହାର କରୁଛନ୍ତି କିନ୍ତୁ ତାହା ସମାଜ ଆଖିରେ ସଦୁପଯୋଗ କି ଦୂରୁପଯୋଗ ବି ହୋଇପାରେ ।

ଯେ କୌଣସି ଦୁଷ୍କର୍ମ ମାମଲା ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଲୋକଙ୍କର ଦୋଷୀ ଦଣ୍ଡ ପାଇବାକୁ ନେଇ ଲୋକମାନେ ବେଶ୍ ଉତ୍ସାହ ଥାଆନ୍ତି । ଦୋଷୀକୁ ଦଣ୍ଡ ଦେବାରେ ବିଳମ୍ବ ହେଲେ ଆଇନକାନୁନ ପ୍ରତି ଲୋକଙ୍କ ବିଦ୍ୱେଷଭାବ ସୃଷ୍ଟି ହୁଏ । କିନ୍ତୁ ଏହି ଘଟଣାରେ ନ୍ୟାୟିକ ବ୍ୟବସ୍ଥାକୁ ଦାୟୀ ସମ୍ପୂର୍ଣ୍ଣ ଭାବେ କରାଯାଇ ନପାରେ । କୌଣସି ମାମଲାର ବିଚାର ଖାଲି କୋର୍ଟର ଦାୟିତ୍ୱ ନୁହେଁ । ଏହାପଛରେ ଅଭିଯୁକ୍ତ, ପୀଡ଼ିତା, ପୁଲିସ, ସାକ୍ଷୀ ତଥା ଆଇନର ବିଭିନ୍ନ ଦିଗ ଦାୟୀ ରୁହନ୍ତି । ଜଣେ ବିଚାରପତି ଚାହିଁଲେ ଜଣକୁ ଫାଶୀ ଦଣ୍ଡାଦେଶ କରିଦେବ କିମ୍ବା ଫାଶୀ ଦଣ୍ଡ ଦିଆଯାଇଥିବା ଲୋକ ହଠାତ୍ ଫାଶୀ ପାଇଯିବ, ତାହା ବି ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାର ବିଧେୟ ନୁହେଁ । କାରଣ ଅନେକ ପ୍ରକାର ଆଇନର ଗଳାବାଟ ରହିଛି, ଯାହାଦ୍ୱାରା ଜଣେ ଅଭିଯୁକ୍ତ ଅନେକ ଦିନ ପର୍ଯ୍ୟନ୍ତ ଆଇନ ଭିତରେ ଖେଳି ଫାଶୀ ଦଣ୍ଡାଦେଶକୁ ବି ଘୁଞ୍ଚାଇ ଦେଇପାରେ । ଯେତେବେଳେ ଥାନାରେ ଦୁଷ୍କର୍ମ ମାମଲାର ଅଭିଯୋଗ ଆସେ, ସେତେବେଳେ ପୁଲିସର ବି ଅନେକ ଦାୟିତ୍ୱବୋଧ ଥାଏ । ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରିବା ଅନେକ ସମୟରେ ପୁଲିସ ପକ୍ଷରେ ସମ୍ଭବ ହୋଇପାରେ ନାହିଁ । ଅଭିଯୁକ୍ତ ଧରାଛୁଆଁ ନଦେବା କିମ୍ବା ପୀଡ଼ିତା ଭୟରେ ସଠିକ ତଥ୍ୟ ପ୍ରଦାନ ନକରିବା କାରଣରୁ ପୁଲିସକୁ ଅଡ଼ୁଆ ପରିସ୍ଥିତିର ସାମନା କରିବାକୁ ପଡ଼େ । ଏମିତି ବି ହୁଏ ବର୍ଷ ବର୍ଷ ଧରି ପୁଲିସ ଘଟଣାର କୌଣସି ଖିଅ ନପାଇ ଚାର୍ଜସିଟ୍ ଦାଖଲ କରିପାରେ ନାହିଁ । ଫଳରେ ଅଭିଯୁକ୍ତ ନିଦ୍ୱନ୍ଦ୍ୱର୍ରେ ବୁଲିଲେ ବି ପୁଲିସ କିଛି କରିପାରେ ନାହିଁ ।

ଯେତେବେଳେ ମାମଲାର ଶୁଣାଣିର ସମୟ ସୀମା ବଢି ବଢ଼ି ଚାଲିଥାଏ, ମାମଲାର ଦିଗ ବି ବାଟବଣା ହୋଇଯାଉଥାଏ । ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇପାରେ ନାହିଁ । ପ୍ରମାଣ ସିଦ୍ଧ କରିବାକୁ ସାକ୍ଷୀ କିମ୍ବା ତଥ୍ୟର ତାଳମେଳ ରହୁ ନଥିବା କାରଣରୁ ମାମଲା ବି ମିଳେଇ ଯାଇଥାଏ । ଅନେକ ସମୟରେ ପୀଡ଼ିତା କୌଣସି କାରଣରୁ ଚାପ ହେଉ ବା ଲୋକଲଜ୍ଜା, ସତ କହିବାକୁ ପଛାଇ ଯାଇଥାଏ । ଫଳରେ ପୁଲିସ ହାତଗୋଡ଼ ବାନ୍ଧି ବସିଯାଇଥାଏ ସିନା କରିବାକୁ ତା ହାତରେ କିଛି ଯୁ ନଥାଏ । ଗୋଟିଏ ଘଟଣାରେ ଅନେକ ଅଭିଯୁକ୍ତ ଥିଲେ ବି ସମସ୍ତେ ଧରା ପଡ଼ୁ ନଥିବା କାରଣରୁ ବା କୋର୍ଟରେ ହାଜର ହୋଇ ପାରୁ ନଥିବା କାରଣରୁ ମାମଲାର ସମୟସୀମା ଆହୁରି ଦୀର୍ଘ ହୋଇ ଚାଲୁଥାଏ । ଚାର୍ଜସିଟ୍ ଦାଖଲ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ହୋଇ ପାରୁ ନଥିବା କାରଣରୁ ଓ ସମସ୍ତ ଅଭିଯୁକ୍ତ ଗିରଫ ହୋଇ ପାରୁ ନଥିବା କାରଣରୁ ମଧ୍ୟ ମାମଲା ବାଟବଣା ହେଉଥାଏ ।

ବିଭିନ୍ନ କାରଣରୁ ଦୋଷୀ ଫାଶୀ ଦଣ୍ଡାଦେଶ ହୋଇଥିଲେ ସୁଦ୍ଧା ଫାଶୀ ଖୁଣ୍ଟରେ ଝୁଲିବାକୁ ବିଳମ୍ବ ହୋଇଥାଏ । ନିର୍ଭୟା ମାମଲା ପରି ଯଦି ଏକାଧିକ ଲୋକ ଜଡ଼ିତ ଥିବେ ଓ ସମସ୍ତେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବେ, ତାହେଲେ ସେମାନେ ପରେ ରିଭ୍ୟୁ ପିଟିସନ୍ ଦାଖଲ ଅଲଗା ଅଲଗା କରିପାରିବେ । ଏହି ମାମଲାରେ ଯଦି ସମସ୍ତେ ଏକା ସାଙ୍ଗରେ ନକରି ଜଣକ ପରେ ଜଣେ ପିଟିସନ ଦାଖଲ କରିବେ, ତାହା ବିଚାର ବିଭାଗୀୟ ଅଦାଲତ ମାମଲାର ପର୍ଯ୍ୟବେକ୍ଷଣ ପାଇଁ ଯେଉଁ ସମୟ ନିଏ, ତାହା ହୁଏତ ଦୋଷୀଙ୍କ ପାଇଁ ଗଳାବାଟ ସଦୃଶ ଉପଯୋଗ ହୋଇପାରେ। ଫଳରେ ଦୋଷୀର ଦଣ୍ଡାଦେଶ ଘୁଞ୍ôଚ ଘୁଞ୍ôଚ ଚାଲିଥାଏ । ଯାହା ନିର୍ଭୟା ମାମଲାରେ ଦେଖିବାକୁ ମିଳିଛି । ସେମିତି ମଧ୍ୟ ରାଜକ୍ଷମା ପାଇବାର ଯେଉଁ ବ୍ୟବସ୍ଥା ରହିଛି ତାହାର ଉପଯୋଗ କରି ସେମାନେ ରାଜକ୍ଷମା ପାଇବାକୁ ଆବେଦନ କରିପାରିବେ । ଫାଶୀ ତାରିଖ ସିଦ୍ଧାନ୍ତ ହୋଇଥିଲେ ସୁଦ୍ଧା ଫାଶୀ ପାଇବାରେ ବିଳମ୍ବ ପରିଲକ୍ଷିତ ହୁଏ । ଗୋଟିଏ ମାମଲାରେ ଯଦି ଅନେକ ସଂପୃକ୍ତ ଥିବେ, ଏହିଭଳି ତାରିଖ ଘୁଞ୍ଚିବା କିଛି ବଡ଼ କଥା ନୁହେଁ । ଏହିସବୁ ଘଟଣା ସମ୍ବେଦନଶୀଳ ହୋଇଥିବା କାରଣରୁ ଲୋକମାନଙ୍କ ଭିତରେ ଏକ ଭାବପ୍ରବଣତା କାମ କରିଥାଏ । ଫଳରେ କିଛି ନବୁଝିସୁଝି ନ୍ୟାୟିକ ବ୍ୟବସ୍ଥାକୁ ଦୋଷ ଦେବାକୁ ସମାଜର ଲୋକମାନେ ପଛାନ୍ତି ନାହିଁ । ବିଳମ୍ବିତ ନ୍ୟାୟ ପ୍ରଦାନ ବା ଫାଶୀ ତାରିଖ ପରିବର୍ତ୍ତନ କରିବାରେ କୋର୍ଟର ଭୂମିକା ଯେତେ ନଥାଏ ବେଶୀ ଥାଏ ସାମ୍ବିଧାନିକ ଗଳାବାଟର ବ୍ୟବସ୍ଥା।

ବଡ଼କଥା ହେଲା ସେମାନେ ଦୋଷୀ ହେଲେ ବି ଆଇନର ପରିସର ବାହାରକୁ ତ ଯାଉନାହାନ୍ତି । ଦେଶରେ ଯେଉଁ ନିୟମକାନୁନ ରହିଛି ତାହାର ସେମାନେ ଉପଯୋଗ କରୁଛନ୍ତି । ହଁ, ଏଇ ଘଟଣାରେ ସିନା ସମସ୍ତେ ହୃଦୟଙ୍ଗମ କଲେ ଯେ ୪ଜଣ ଦୋଷୀ ପ୍ରକୃତରେ ଦଣ୍ଡ ପାଇବା ଉଚିତ । ଏମିତି କିଛି ଘଟଣା ବି ଅଛି ଯେଉଁଥିରେ ମାମଲାର ସତ୍ୟତା ଉପରେ ସନ୍ଦିହାନ ଅଛି ଓ ଆଇନ ବ୍ୟବସ୍ଥାରେ ତାହା ମିଛରେ ହେଉ ବରଂ ପ୍ରମାଣିତ ହୋଇଯାଇଛି । ସେହିସବୁ କ୍ଷେତ୍ରରେ କାହାର ଜୀବନ ନେବା ପୂର୍ବରୁ ଆଇନର ଯେଉଁ ବ୍ୟବସ୍ଥା ରହିଛି, ତାହାର ଉପଯୋଗ କରିବାକୁ ସୁଯୋଗଟିଏ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ତିଆରି କରିଛି । ସେଥିପାଇଁ ରିଭ୍ୟୁ ପିଟିସନ୍ ହେଉ ଅବା ରାଜକ୍ଷମାର ଏକ ବ୍ୟବସ୍ଥା ରହିଛି । ନିର୍ଭୟା ମାମଲାରେ ଅବଶ୍ୟ ଏଇ ସୁଯୋଗଟିକୁ ହାତଛଡ଼ା କରି ନାହାନ୍ତି ଓ ତାହାର ଉପଯୋଗ କରି ବାରମ୍ବାର ତାରିଖ ବଦଳ।।ଇବାରେ ସକ୍ଷମ ହୋଇପାରିଛନ୍ତି । ତେଣୁ ଭାବିବା ଠିକ୍ ନୁହେଁ ଯେ ନ୍ୟାୟିକ ବ୍ୟବସ୍ଥା ଠିକ ଭାବରେ କାମ କରୁନାହିଁ ।

ଆଇନ କାହାର ସମ୍ବେଦନ କିମ୍ବା ଭାବପ୍ରବଣକୁ ନେଇ କାମ କରେନାହିଁ ବୋଲି ମନରୁ ଦୂରେଇବାକୁ ପଡ଼ିବ । ତଳକୋର୍ଟରେ ଫାଶୀ ଦଣ୍ଡାଦେଶ କରିଥିଲେ ସୁଦ୍ଧା ଉପର କୋର୍ଟର ନିର୍ଦ୍ଦେଶ ବା ସୁପାରିଶକୁ ଅପେକ୍ଷା କରିବାକୁ ପଡ଼ିବ । ଯଦି ଆଇନ ବ୍ୟବସ୍ଥାରେ ନିର୍ଭୟା ଭଳି ମାମଲାରେ ଭାବପ୍ରବଣ ହୋଇ ଶୀଘ୍ର ଫାଶୀ ହୋଇଯାଉ ବୋଲି ମତବ୍ୟକ୍ତ କରିବା, ତାହେଲେ ଏମିତି କିଛି ସତ ଘଟଣାରେ ଦଣ୍ଡିତ ହେଉଥିବା ଲୋକକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ କାଠିକର ପାଠ ହୋଇପାରେ । ତେଣୁ ଆଇନ ତା ବାଟରେ ଠିକ୍ କାମ କରୁଛି, ସେଥିପାଇଁ ଅଯଥା ବିତର୍କକୁ ଏହା ଭିତରକୁ ଟାଣିବା ଉଚିତ ନୁହେଁ ।

ନିର୍ଭୟାକୁ କଣ ଦୁଷ୍କର୍ମ କରାଯାଇଥିଲା?

ବହୁଚର୍ଚ୍ଚିତ ନିର୍ଭୟା ମାମଲାରେ ବାରମ୍ବାର ଫାଶୀ ପାଇବାର ତାରିଖ ପରିବର୍ତ୍ତନ ହେଉଛି । ବାସ୍ତବରେ ନିର୍ଭୟା କଣ ଦୁଷ୍କର୍ମର ଶିକାର ହୋଇଥିଲା ?

ସିନେମାରୁ ସିନେମା; ନିର୍ଭୟା-

ଲାଇଫ୍ ଅଫ୍ ପାଏ ସିନେମା ଦେଖି ଫେରୁଥିବା ଜ୍ୟୋତି ଓରଫ ନିର୍ଭୟା ଘଟଣା ଯେତେବେଳେ ଦେଶବିଦେଶରେ ଚର୍ଚ୍ଚା ହୋଇଥିଲା, ସେତେବେଳେ ବିବିସି ଷ୍ଟୋରୀ ଭିଲେ ସିନେମାଟିଏ ନିର୍ମାଣ କରିଥିଲା । ତାହା ନିର୍ଭୟାର ଘଟଣାକ୍ରମକୁ ନେଇ ନିର୍ମାଣ ହୋଇଥିଲା, ଯାହାର ନାମ ଥିଲା ଇଣ୍ଡିଆସ୍ ଡଟର । ଏହା ଆନ୍ତର୍ଜାତୀୟ ମହିଳା ଦିବସ, ମାର୍ଚ୍ଚ ୮, ୨୦୧୫ରେ ଏନଡି ଟିଭି ଓ ୟୁକେର ବିବିସି ଫୋରରେ ପ୍ରଦର୍ଶିତ ହୋଇଥିଲା । ମାମଲା ବାଟବଣା ନହେବା ପାଇଁ ଏହାକୁ ପ୍ରଥମେ ଭାରତ ସରକାରଙ୍କ ତରଫରୁ ଅନୁମତି ଦିଆଯାଇ ନଥିଲା । ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଭିଡ଼ିଓକୁ ମଧ୍ୟ ହଟାଇ ଦିଆଯାଇଥିଲା । ଏହି ସିନେମାକୁ ନେଇ ଦେଶବିଦେଶରେ ମଧ୍ୟ ତର୍କବିତର୍କ ଦେଖିବାକୁ ମିଳିଥିଲା । ସିନେମାର ନିର୍ମାତା ଓ ନିର୍ଦ୍ଦେଶକ ଲେସଲି ଉଡ୍ୱିନ ତାଙ୍କ ସାକ୍ଷାତକାରରେ ମଧ୍ୟ ସ୍ପଷ୍ଟୋକ୍ତି କରିଥିଲେ ଯେ, ଏହା ହେଉଛି ସେହିମାନଙ୍କର ନିର୍ଭୟା ଘଟଣାର କାହାଣୀ, ଯିଏ କି ଦୁଷ୍କର୍ମର ଶିକାର ହେବା ସମୟରେ ସାହସିକତା ସହ ପ୍ରତିରୋଧ କରିଛନ୍ତି । ଏହା ସମାଜକୁ ସାହସିକତାର ପ୍ରେରଣା ଯୋଗାଇବ ।

ଏମିତି ଥିଲା ନିର୍ଭୟାର ଘଟଣାକ୍ରମ-

୨୦୧୨ ଡିସେମ୍ବର ୧୬ ତାରିଖ । ରାତି ୯.୩୦ । ଜ୍ୟୋତି ସିଂ ନାମକ ୨୩ ବର୍ଷୀୟା ଯୁବତୀ ଜଣକ ପୁରୁଷବନ୍ଧୁଙ୍କ ସହ ସିନେମା ଦେଖି ଘରକୁ ଫେରିବାକୁ ବସଷ୍ଟପରେ ଅପେକ୍ଷା କରିଥିଲେ । ଯେଉଁ ବସରେ ଉଠିଥିଲେ ଡ୍ରାଇଭରକୁ ଲଗାଇ ଥିଲେ ମୋଟ ୬ଜଣ । ବସଟି ରାସ୍ତା ମଝିରୁ ଗନ୍ତବ୍ୟସ୍ଥଳକୁ ନଯାଇ ଗତି ବଦଳେଇବା ବେଳେ ଆସ୍ତେ ଆସ୍ତେ ସନ୍ଦେହ ଘନୀଭୂତ ହୋଇଥିଲା । ତାପରେ ବସର ଡ୍ରାଇଭର, କ୍ଲିନର, କଣ୍ଡକ୍ଟର ଯୋଜନାକୁ ଫଳବତୀ କରିବାକୁ ଆଗେଇ ଆସିବା ବେଳେ ଉଭୟ ପୁରୁଷବନ୍ଧୁ ଓ ଜ୍ୟୋତି ପ୍ରତିରୋଧ କରିଥିଲେ । ସେମାନେ ପୁରୁଷବନ୍ଧୁଙ୍କୁ ମାଡ଼ ମାରିବା ସହ ଜ୍ୟୋତିକୁ ଗଣଦୁଷ୍କର୍ମ କରିବା ସହ ଅତି ଅମାନୁଷିକ ଭାବରେ ପେଟରେ ଲୁହାରଡ଼ ଭୁଷି ମରଣାନ୍ତକ ଆକ୍ରମଣ କରିଥିଲେ । ଡ୍ରାଇଭର ଗାଡ଼ି ଚଳାଇବା ସମୟରେ ଜ୍ୟୋତିକୁ ଦୁଷ୍କର୍ମ କରାଯାଇଥିଲା ଓ ଏହାର ପ୍ରତିବାଦ କରିବାକୁ ଉଭୟଙ୍କୁ ମାଡ଼ ଦିଆଯାଇ ଅତି ମୁମୁର୍ଷୁ ଅବସ୍ଥାରେ ବସରୁ ତଳକୁ ଠେଲି ଦେଇ ଚାଲିଯାଇଥିଲେ । ରାତି ୧୧ଟା ବେଳକୁ ଦିଲ୍ଲୀ ପୁଲିସକୁ ଫୋନ କରି କେହି ଜଣେ କହିବା ପରେ ଆଇସିୟୁରେ ଜ୍ୟୋତିକୁ ଭର୍ତ୍ତି କରାଯାଇଥିଲା । ୧୯ ଡିସେମ୍ବରରେ ୫ମ ଥର ଅପରେସନ ହେବା ପରେ ବି ଜ୍ୟୋତି ସୁସ୍ଥ ହୋଇ ପାରି ନଥିଲା । ଅବସ୍ଥା ସ୍ଥିର ତଥା ଗୁରୁତର ଥିଲା । ୨୧ ତାରିଖରେ ସରକାର ଜ୍ୟୋତିର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିଯୁକ୍ତି କଲେ । ୨୫ ଡିସେମ୍ବରରେ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିଯିବା ସହ ୧୦୩ ଡିଗ୍ରୀର ଜ୍ୱର ସାଙ୍ଗକୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ୨୭ ତାରିଖରେ ଫ୍ଲାଇଟ୍ ଆମ୍ବୁଲାନ୍ସ ଯୋଗେ ସିଙ୍ଗାପୁରରେ ଥିବା ମାଉଣ୍ଟ ଏଲିଜାବେଥ ହସପିଟାଲକୁ ଜ୍ୟୋତିକୁ ସ୍ଥାନାନ୍ତରିତ କରାଯାଇଥିଲା । ୨୮ ଡିସେମ୍ବରରେ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିଲା । ୨୯ତାରିଖ ଭୋର ୪.୪୫ରେ ଜ୍ୟୋତି ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ ।
ଜଷ୍ଟିସ ବର୍ମା କମିଟି-ନିର୍ଭୟା ଘଟଣାରେ ୨୦୧୨ ମସିହା ଡିସେମ୍ବର ୨୨ ତାରିଖରେ ଜେ.ଏସ. ବର୍ମାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା । ୩୦ଦିନ ମଧ୍ୟରେ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବା କଥା କୁହାଯାଇଥିଲା । ଏଥିରେ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ,ବେସରକାରୀ ସଂଗଠନ, ମହିଳା ସଂଗଠନ ଆଦିଙ୍କ ଠାରୁ ମତାମତ ଲୋଡ଼ାଯାଇଥିଲା । ଇ-ମେଲରେ ୬ହଜାର ମତକୁ ଲଗାଇ ମୋଟ ୮୦ ହଜାର ଲୋକ ଆଇନର ସଂଶୋଧନ ନିମନ୍ତେ ମତାମତ ଦେଇଥିଲେ । ସବୁଠୁ ବଡ଼ କଥା ହେଲା ଆଇନର ସଂସ୍କାରର ନିମନ୍ତେ ସେମିତି କିଛି ପରାମର୍ଶ କେହି ଦେଇ ନଥିଲେ ବରଂ ଫାଶୀକୁ କଠୋର ଦଣ୍ଡ ପାଇଁ ଯେମିତି ସମସ୍ତେ ପ୍ରତିବେଦନ କରିଥିଲେ ।