ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ,ଏଜେନ୍ସି: ଖାଦ୍ୟ ପଦାର୍ଥ ମୂଲ୍ୟରେ ବୃଦ୍ଧି ହୋଇଥିବା ସତ୍ତେ୍ୱଚଳିତ ଆର୍ଥିକବର୍ଷର ଅଗଷ୍ଟ ମାସରେ ପାଇକାରୀ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି ହାର ୧.୦୮%ରେ ଅପରିବର୍ତ୍ତିତ ରହିଛି। ସୋମବାର ପ୍ରକାଶ ପାଇଥିବା ଏକ ସରକାରୀ ରିପୋର୍ଟ ମୁତାବକ, ମାସିକ ଆଧାରରେ ଅର୍ଥାତ୍ ୨୦୧୯ ଜୁଲାଇରେ ଏହା ୧.୦୮% ରହିଥିବାବେଳେ ୨୦୧୯ ଅଗଷ୍ଟରେ ମଧ୍ୟ ଏହା ୧.୦୮%ରେ ଅପରିବର୍ତ୍ତିତ ରହିଛି। ଗତବର୍ଷ ଆଲୋଚ୍ୟ ମାସରେଅର୍ଥାତ୍ ୨୦୧୮ ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ହାର ୪.୬୨% ଥିଲା।

ଏହି ମାସରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧.୦୮%ରେ ସ୍ଥିର ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ମାସିକ ଦର ଆଧାରରେ ଏହି ମାସରେ ଖାଦ୍ୟ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ହାର ୪.୫୪%ରୁ ବୃଦ୍ଧି ପାଇ ୫.୭୫%ରେ ପହଞ୍ଚିଛି। ସେହିପରି ଇନ୍ଧନ ଓ ଉର୍ଜାର ପାଇକାରୀ ମୁଦ୍ରାସ୍ଫୀତି ହାର ଜୁଲାଇର –୩.୪୬%ରୁ ହ୍ରାସ ପାଇ –୪ରେ ପହଞ୍ଚିଛି। ମାସିକ ଆଧାରରେ ପିଆଜର ପାଇକାରୀ ମୁଦ୍ରାସ୍ଫୀତି ହାର ୭.୬୩%ରୁ ବୃଦ୍ଧି ପାଇ ୩୩.୦୧% ଓ ଡାଲିର ମୁଦ୍ରାସ୍ଫୀତି ହାର ୨୦.୦୮%ରୁ ହ୍ରାସ ପାଇ ୧୬.୩୬%ରେ ପହଞ୍ଚିଥିବାବେଳେ ମାଛ, ମାଂସ, ଅଣ୍ଡା ଭଳି ପ୍ରୋଟିନ୍ୟୁକ୍ତ ଖାଦ୍ୟର ପାଇକାରୀ ମୁଦ୍ରାସ୍ଫୀତି ହାର ୩.୧୬%ରୁ ବୃଦ୍ଧି ପାଇ ୬.୬୦%ରେ ପହଞ୍ଚିଛି।

ଜୁଲାଇରେ ପନିପରିବାର ପାଇକାରୀ ମୁଦ୍ରାସ୍ଫୀତି ହାର ୧୦.୬୭% ରହିଥିବାବେଳେ ଅଗଷ୍ଟରେ ଏହା ୧୩.୦୭%କୁ ବୃଦ୍ଧି ପାଇଛି। ସେହିପରି ଆଳୁର ମୁଦ୍ରାସ୍ଫୀତି ହାର –୨୩.୬୩%ରୁ ବୃଦ୍ଧି ପାଇ –୨୧.୨୮%ରେ ପହଞ୍ଚିଛି। ମାସିକ ଦର ଆଧାରରେ ଅଗଷ୍ଟରେ ମାନୁଫାକ୍ଚର୍ସ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ହାର ୦.୩୪%ରେ ଅପରିବର୍ତ୍ତିତ ରହିଛି। ସେହିପରି ନନ୍– ଫୁଡ୍ ଆର୍ଟିକିଲ୍ସର ପାଇକାରୀ ମୁଦ୍ରାସ୍ଫୀତି ହାର ୪.୨୯%ରୁ ୪.୭୬%କୁ ଏବଂ ପନିପରିବା ଓ ପ୍ରୋଟିନ୍ୟୁକ୍ତ ଖାଦ୍ୟର ମୂଲ୍ୟବୃଦ୍ଧି ଯୋଗୁଁ ଫୁଡ୍ ଆର୍ଟିକିଲ୍ସର ମୁଦ୍ରାସ୍ଫୀତି ହାର ୬.୧୫%ରୁ ୭.୬୭%କୁ ବୃଦ୍ଧି ପାଇଥିବା ଉକ୍ତ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି।