ଅଗ୍ନିକାଣ୍ଡରେ ଜଳିଗଲା ପୁରା ଦୋକାନ, ୪୦ ହଜାରରୁ ଅଧିକ କ୍ଷତି

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ପୋଟରେଲ ଛକଠାରେ ଆଜି ଏକ ଦୋକାନ ଗୃହରେ ନିଆଁ ଲାଗି ସମ୍ପୂର୍ଣ୍ଣ ଦୋକାନଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୋକାନଟି ସ୍ଥାନୀୟ ଅଞ୍ଚଳର ରାଜୁ ପାଙ୍ଗି ନାମକ ବ୍ୟକ୍ତିଙ୍କର। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଜିନିଷ ଯଥା:- ଚାଉଳ, ଗହମ, ରାସନ ସାମଗ୍ରୀ, ଫ୍ରିଜ ଆଦି ଅନ୍ୟାନ୍ୟ ଜିନିଷ ପୋଡି ନଷ୍ଟ ହୋଇଯାଇଛି।

ଆଜି ଦୋକାନରେ ବିକ୍ରି ହେବା ନିମନ୍ତେ ପ୍ରାୟ ୬୦ ଲିଟର ପେଟ୍ରୋଲ ଏକ ଡବାରେ ରଖାଯାଇଥିଲା। ତେବେ ଦୋକାନ ଗୃହଟି ତାଳ ପତ୍ରରେ ଛପର ହୋଇଥିବାରୁ କୌଣସି କାରଣରୁ ଏହି ପେଟ୍ରୋଲ ଡବାରେ ନିଆଁ ଲାଗି ସମ୍ପୂର୍ଣ୍ଣ ଦୋକାନ ଜଳିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଛେଷ୍ଟା କରିବା ସହିତ ଦମକଳକୁ ଖବର ଦେଇଥିଲେ। ପରେ କୋରୁକୋଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ରାଜୁ ୮୦ ହଜାର ଟଙ୍କା ବ୍ୟାଙ୍କ ଋଣ କରି ଏହି ଦୋକାନଟିକୁ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସବୁ ଜଳି ନଷ୍ଟ ହୋଇଯାଇଛି। ତେଣୁ କିପରି ଋଣ ପରିଶୋଧ କରିବେ ଏନେଇ ଚିନ୍ତିତ ଥିବା ରାଜୁ କହିଛନ୍ତି।