ବାହୁଡ଼ାଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାରେ ଜାରି ରହିବ କର୍ଫ୍ୟୁ ଓ ସଟଡାଉନ

ପୁରୀ,ଏନ୍ଏନ୍ଏସ୍: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିବା ପରେ ବିନା ଭକ୍ତରେ ରଥଯାତ୍ରା କରାଯାଇଥିଲା। କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ପାଳନ ହେବା ସହ ଭକ୍ତମାନେ ଘରେ ରହି ଟିଭିରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେହିପରି ବାହୁଡ଼ା ଯାତ୍ରା ଓ ସୁନାବେଶରେ ପୁରୀରେ ଭକ୍ତଙ୍କ ଭିଡ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଜୁନ୍ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ସହ ପୁରୀ ଜିଲ୍ଲାରେ ସଟଡାଉନ ଜାରି ରହିବ। ଏଥିସହ ପୁରୀ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରିଦିଆଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରକାଶ କରିଛନ୍ତି।

ଏହା ସହ ଜୁଲାଇ ୪ ଯାଏ ହୋଟେଲ, ଲଜ, ଧର୍ମଶାଳାରେ ଥିବା ଲୋକମାନେ ବାହାରକୁ ବାହାରି ପାରିବେନି। ବଡଦାଣ୍ଡର ଉଭୟ ପାର୍ଶ୍ୱର କୋଠାରେ ବାହାର ଲୋକଙ୍କୁ ଅନୁମତି ନାହିଁ। ବାହାର ଲୋକ ରହିଲେ କୋଠା ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।