କାହାର ହେବ ବିଜେପୁର ? ବିଜୟ ଆଶାରେ ବିଜେଡି ଓ ବିଜେପି, ହାତ ଟେକିଦେଲା କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁରର ଫଳାଫଳ କାହା ସପକ୍ଷରେ ଯିବ, ଏନେଇ ବୟାନବାଜି ଆରମ୍ଭ ହୋଇଯାଇଛି। ତେବେ ବିଜେପୁର ଦଖଲ ନେଇ ବିଜେଡି ଓ ବିଜେପି କହୁଥିବାବେଳେ କଂଗ୍ରେସ ନିଜର ବିଜୟ ଆଶାକୁ ନେଇ ହାତ ଟେକିଦେଇଛି। ପୁଣି ଥରେ ବିଜେଡି ବିଜେପୁର ଦଖଲ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ବିକାଶମୁଖୀ କାର୍ଯ୍ୟରେ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି। ବିଜେପୁରବାସୀ ପୁଣି ଥରେ ବିକାଶ ପାଇଁ ବିଜେଡିକୁ ବାଛିବେ ବୋଲି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

ବିଜେପୁର ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ଦାୟିତ୍ୱରେ ଥିବା ଶ୍ରୀ ଦାସବର୍ମା କହିଛନ୍ତି ଯେ ପ୍ରଚାର ସମୟରେ ବିଜେପୁରବାସୀଙ୍କ ବିପୁଳ ସମର୍ଥନ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଗସ୍ତରେ ବିଜେପୁରବାସୀ ଉତ୍ସାହିତ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଲେକପ୍ରିୟତା ଓ ଦଳର ସାଂଗଠନିକ ଦୃଢ଼ତା ଫଳରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ଭୋଟରେ ବିଜୟଲାଭ କରିବେ। ବିଜେଡି ପ୍ରାର୍ଥୀ ସେଠାରେ ବିଜୟୀ ହେବେ ବୋଲି ଚିତ୍ର ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

ସେହିଭଳି ବିଜେପୁରବାସୀ ଏଥର ଭାରତୀୟ ଜନତା ପାର୍ଟିକୁ ଚୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେଠାରେ ବିଜେପି ନିଶ୍ଚୟ ଜିତିବ ବୋଲି ବିଜେପୁର ଦାୟିତ୍ୱରେ ଥିବା ବିଜେପିି ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ କରିନାହାନ୍ତି। ତେଣୁ ଲୋକଙ୍କର ବିତୃଷ୍ଣାଭାବ ଏଥର ଆକ୍ରୋଶରେ ପରିଣତ ହୋଇଯାଇଛି। ବିଜେପୁରବାସୀ ଉତ୍ସାହର ସହିତ ବିଜେପିକୁ ଭୋଟ ଦେଇଛନ୍ତି। ଏହାସହିତ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ରହିଛି। ତେଣୁ ବିଜେପି ଜିତିବା ଥୟ ବୋଲି ଶ୍ରୀ ନାୟକ କହିଛନ୍ତି।

କିନ୍ତୁ ଅପରପକ୍ଷେ ବିଜେପୁରରେ କଂଗ୍ରେସ ହାରିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଖୋଲାଖୋଲି କହିଛନ୍ତି। କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ବିଜେପୁରରେ କଂଗ୍ରେସର ପରାଜୟକୁ ପୂର୍ବରୁ ସ୍ୱୀକାର କରିସାରିଥିଲେ ବି ଏବେ ଲୋକେ ବିଜେପୁରରେ ଅର୍ଥଲୋଭକୁ ତ୍ୟାଗ କରି କଂଗ୍ରେସ ସପକ୍ଷରେ ମତଦାନ କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦଳର ଅନ୍ୟତମ ବିଧାୟକ ତାରା ପ୍ରସାଦ କହିଛନ୍ତି ଯେ ବିଜେପୁରରେ କଂଗ୍ରେସ ନିଶ୍ଚିତ ପରାଜୟର ଦ୍ୱାରଦେଶରେ ଠିଆ ହୋଇଛି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିଠାରୁ କଂଗ୍ରେସ ଅପେକ୍ଷାକୃତ ଭାବେ ଢେର ପଛରେ ରହିଥିବା କଥାକୁ ସେ ସ୍ୱୀକାର କରିଛନ୍ତି।