ଡବ୍ଲ୍ୟୁଏଚଓର ବାରଣକୁ ପ୍ରତ୍ୟାଖ୍ୟାନ କଲା ଆଇସିଏମଆର

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ଲୋରୋକୁଇନ ଔଷଧ ଉପରେ ଡବ୍ଲ୍ୟୁଏଚଓ ପକ୍ଷରୁ ରୋକ ଲଗାଯାଇଥିଲା। କିନ୍ତୁ ଏହି ଔଷଧର ବ୍ୟବହାରରେ ବର୍ତ୍ତମାନ କୌଣସି ବିପଦ ନଥିବା ଇଣ୍ଡିଆନ କାଉନସେଲିଂ ଅଫ୍ ରିସର୍ଚ୍ଚ (ଆଇସିଏମଆର) ସ୍ପଷ୍ଟ କରିଛନ୍ତି।

ଆଇସିଏମଆରର ଜଣେ ଅଧିକାରୀଙ୍କ କହିବାନୁସାରେ, କରୋନା ଏକ ନୂଆ ରୋଗ ହୋଇଥିବାରୁ ଏହାର ସଠିକ ଚିକିତ୍ସା କ’ଣ ତାହା କାହାରିକୁ ବି ଜଣାନାହିଁ। ହାଇଡ୍ରୋକ୍ଲୋରୋକୁଇନକୁ ନେଇ ଦିଲ୍ଲୀ ଏମ୍ସ ଓ ୩ଟି ଘରୋଇ ହସ୍ପିଟାଲରେ ଏକ ରିସର୍ଚ୍ଚ କରାଯାଇଥିଲା। ଏହି ଔଷଧ କରୋନା ଚିକିତ୍ସାରେ ବ୍ୟବହୃତ ହୋଇପାରିବା ସହ ଏହାର କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ ବୋଲି ରିସର୍ଚ୍ଚରୁ ଜଣାପଡ଼ିଥିଲା ।

ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି କି, ମାର୍ଚ୍ଚରେ ଆରୋଗ୍ୟ ହାର ୭.୧ ପ୍ରତିଶତ ଥିବାବେଳେ ଏବେ ଏହି ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁ ହାର ଅପ୍ରେଲ ୧୫ରେ ୩.୩ ପ୍ରତିଶତ ଥିବାବେଳେ ଏବେ ୨.୮୭ ପ୍ରତିଶତକୁ ହ୍ରାସ ପାଇଛି । ଭାରତରେ ୧ ଲକ୍ଷ ଜନସଂଖ୍ୟାରେ ୦.୩ ପ୍ରତିଶତ ଲୋକଙ୍କର ମୃତ୍ୟୁ ଘଟିଛି ଯାହାକି ବିଶ୍ୱରେ ସବୁଠୁ କମ୍। ବର୍ତ୍ତମାନ ସ୍ଥିତିରେ ‘ସାମାଜିକ ଦୂରତାକୁ ସାମାଜିକ ଭ୍ୟାକ୍ସିନ’ ରୂପେ ଉପଯୋଗ କରିବାକୁ ଶ୍ରୀ ଅଗ୍ରୱାଲ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।