ଆଫ୍ରିକାରେ ପିଲାମାନଙ୍କୁ ଦିଆଯିବ ‘ହୁ’ ଅନୁମୋଦିତ ପ୍ରଥମ ମ୍ୟାଲେରିଆ ଟିକା ‘ମସ୍କ୍ୟୁରିକ୍ସ୍‍’

ନୂଆଦିଲ୍ଲୀ,ଏଜେନ୍ସି: ମ୍ୟାଲେରିଆ ପାଇଁ ଅନୁମୋଦିତ ଏକମାତ୍ର ଟିକା ‘ମସ୍କ୍ୟୁରିକ୍ସ୍‍’କୁ ବ୍ୟାପକ ଭାବେ ଆଫ୍ରିକୀୟ ପିଲାମାନଙ୍କୁ ଦିଆଯିବା ଉଚିତ ବୋଲି ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ କହିଛି। ଟିକା ଅନୁମୋଦନ ହୋଇଥିବା ଘୋଷଣା କରି ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ମହାନିର୍ଦ୍ଦେଶକ ଟେଡ୍‌ରସ୍‌ ଆଧନମ୍‌ ଗେବ୍ରେସିୟସ୍‌ ଏହାକୁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ପରାମର୍ଶ କମିଟି ଏହି ମ୍ୟାଲେରିଆ ଟିକାକୁ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି।

୧୯୮୭ରେ ‘ଦି ଆର୍‌ଟିଏସ୍‌,ଏସ୍‌’ ବା ‘ମସ୍କ୍ୟୁରିକ୍ସ୍‍’କୁ ବିକଶିତ କରିଛନ୍ତି ବ୍ରିଟିସ୍‌ ଔଷଧ ନିର୍ମାତା ଗ୍ଲାସ୍କୋସ୍ମିଥ୍‌କ୍ଲାଇନ୍‌ (ଜିଏସ୍କେ)। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ବିକଶିତ ହୋଇ ଚାଲିଥିବା ଏହି ଟିକା ହେଉଛି ମ୍ୟାଲେରିଆ ସଂକ୍ରମଣ ହ୍ରାସ କରିବାର ସାମର୍ଥ୍ୟ ଥିବା ଏକମାତ୍ର ଟିକା। ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ମୁଖ୍ୟ ଟେଡ୍‌ରସ୍‌ ଆଧନମ୍‌ ଗେବ୍ରେସିୟସ୍‌ କହିଛନ୍ତି, ଏହି ଟିକା ଆଫ୍ରିକୀୟ ବୈଜ୍ଞାନିକ ମାନଙ୍କ ଦ୍ୱାରା ବିକଶିତ କରାଯାଇଥିବାରୁ ଆମେ ଖୁବ୍‌ ଗର୍ବିତ।