ଖାଦ୍ୟପେୟକୁ ନେଇ ଗାଇଡଲାଇନ ଜାରି କଲା ଡବ୍ଲ୍ୟୁଏଚ୍ଓ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ଅନେକ ଗାଇଡଲାଇନ ଜାରି କରିଛି। ପରିଚ୍ଛନତା ଓ ସୁରକ୍ଷା ପରେ ଏବେ ଖାଦ୍ୟପେୟକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଆଉ ଏହା କ’ଣ ପାଇଁ ଦରକାର ତାହା ମଧ୍ୟ ଉଲ୍ଲେଖ କରିଛି। ତେବେ ଆସନ୍ତୁ ଜାଣିବା ଖାଦ୍ୟପେୟକୁ ନେଇ ଡବ୍ଲ୍ୟୁଏଚ୍ଓ ଜାରି କରିଥିବା ସୁରକ୍ଷିତ ଦିଗ ଉପରେ…

* ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ହାତ ଓ ରୋଷେଇ ପାଇଁ ବ୍ୟବହୃତ ବାସନକୁ ଭଲଭାବେ ଧୋଇ ନିଅନ୍ତୁ। ରୋଷେଇଶାଳାକୁ ପରିଷ୍କାର ରଖନ୍ତୁ ଯେମିତି କୌଣସିପ୍ରକାର ଜୀବଜନ୍ତୁ ରହିନଯାଏ। କାରଣ ଅଧିକାଂଶ ସୂକ୍ଷ୍ମଜୀବ ଅପରିଷ୍କାର ସ୍ଥାନ ଓ ପାଣିରେ ରୁହନ୍ତି। ଏମାନେ ବାସନ ପୋଛା ସହ ରୋଷେଇଶାଳାରେ ବ୍ୟବହୃତ ହେଉଥିବା ବିଭିନ୍ନ କପଡ଼ା ଓ କଟିଂବୋର୍ଡରେ ସହଜରେ ରହିଯାଏ ଯାହାକି ହାତଦ୍ୱାରା ଖାଦ୍ୟରେ ପହଁଚିଥାଏ।

* କଞ୍ଚା ଓ ରନ୍ଧା ଖାଦ୍ୟକୁ ଅଲଗା ଅଲଗା ରଖନ୍ତୁ। ମାଂସ, ସି ଫୁଡରେ ବିଭିନ୍ନ ପ୍ରକାର ସୂକ୍ଷ୍ମଜୀବ ରହିଥାଏ। ଭୋଜନ ପ୍ରସ୍ତୁତ କରିବା ସମୟରେ ଏହା ରନ୍ଧା ଖାଦ୍ୟକୁ ଯାଇପାରେ ତେଣୁ ଅଲଗା ରଖିବା ଉଚିତ।

* ଖାଦ୍ୟକୁ ଭଲଭାବେ ସିଝାନ୍ତୁ। କାରଣ ଭଲଭାବେ ସିଝାଇଲେ କୀଟାଣୁ ମରିଯାଏ। ଖାସକରି ମାଂସ ଓ ସି ଫୁଡ ପ୍ରସ୍ତୁତ କରିବା ସମୟରେ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

* ଘର ତାପମାତ୍ରାରେ ପ୍ରସ୍ତୁତ ଖାଦ୍ୟକୁ ୨ଘଣ୍ଟାରୁ ଅଧିକ ଖାଲି ଛାଡ଼ନ୍ତୁ ନାହିଁ । କାରଣ ଏଥିରେ ଖୁବଶୀଘ୍ର ସୂକ୍ଷ୍ମକୀଟ ଜନ୍ମ ନେଇଥାଏ। ଭୋଜନ ପରଷିିବା ପୂର୍ବରୁ ଅତିକମରେ ୬୦ ଡିଗ୍ରୀ ତାପମାତ୍ରାରେ ଗରମ କରନ୍ତୁ। ଖାଦ୍ୟକୁ ଅଧିକ ସମୟ ଫ୍ରିଜରେ ରଖନ୍ତୁ ନାହିଁ।

* ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସର୍ବଦା ପରିଷ୍କାର ପାଣି ବ୍ୟବହାର କରନ୍ତୁ। ତାଜା ଓ ପୌଷ୍ଟିକ ପନିପରିବା କିଣିବା ସହ ଭଲକରି ଧୋଇବା ପରେ ହିଁ କାଟନ୍ତୁ।