କୋଭିଡ୍ ସଂକ୍ରମଣ ପ୍ରତି ଅଧିକ ସତର୍କ ରହିବାକୁ ଡବ୍ଲ୍ୟୁଏଚଓର ଚେତାବନୀ

ଜେନେଭା,ଏଜେନ୍ସି: ଦକ୍ଷିଣପୂର୍ବ ଏସିଆରେ ଏବେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ ଏଥିରେ ଉତଫୁଲ୍ଲିତ ନହୋଇ କୋଭିଡ୍ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ସତର୍କ କରିଦେଇଛି। ଏଥିରେ କୌଣସି ଅବହେଳା କରାଗଲେ ଆଗକୁ ପରିସ୍ଥିତି ଗୁରୁୂତର ହେବ ବୋଲି ଡବ୍ଲ୍ୟୁଏଚଓ ଚେତାବନୀ ଦେଇଛି। ଡବ୍ଲ୍ୟୁଏଚଓର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, ଏବେ ବି ଦକ୍ଷିଣ-ପୂର୍ବଏସିଆ ଅଞ୍ଚଳରେ ପରିସ୍ଥିତି ଗୁରୁତର ରହିଛି।

ଆଗକୁ ପାର୍ବଣ ଓ ଶୀତଋତୁ ଆସୁଥିବାରୁ ଆମେ ସତର୍କ ନରହିଲେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଉଠିବ। ଡବ୍ଲ୍ୟୁଏଚଓର ସଦସ୍ୟ ରାଷ୍ଟ୍ରଗୁଡିକ ଠିକଣା ସମୟରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ସାନିଟାଇଜେସନ୍ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଋତୁକାଳୀନ ଇନଫ୍ଲୁୂଏଞ୍ଜା ଏବଂ କୋଭିଡ୍-୧୯ ସଂକ୍ରମଣ ଆଗକୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଯେଉଁ ରାଷ୍ଟ୍ରଗୁଡିକ ଏହାର ପ୍ରତିକାର ପାଇଁ ବିହିତ ପଦକ୍ଷେପ ନେଉଛନ୍ତି ଡବ୍ଲ୍ୟୁଏଚଓ ସେମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ଚାହୁଁଛି। ଦକ୍ଷିଣ ପୂର୍ବ ଏସିଆରେ କ୍ରମାଗତ ୩ ସପ୍ତାହ ହେଲା କୋଭିଡ୍ ମାମଲା ୬-୮ ପ୍ରତିଶତ ହ୍ରାସ ପାଇଛି। ବିଶେଷକରି ଭାରତ ଓ ବାଂଲାଦେଶରେ ସଂକ୍ରମଣ କମିବାରୁ ଏଭଳି ଘଟିଛି ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି।