ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ?

ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ତେବେ ଗତକାଲି ଭୋଟ ଗଣତି ପ୍ରକ୍ରିୟା ସମାପ୍ତ ହୋଇଥିବାବେଳେ ମହାରାଷ୍ଟ୍ର ମହାପରୀକ୍ଷାରେ ବିଜେପି-ଶିବସେନା ମେଂଟ ପାସ୍ ହୋଇଛି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତା ଉପରେ ରହିଛି ସମସ୍ତଙ୍କ ନଜର । ଦେବେନ୍ଦ୍ର ଫଡନଭିସ୍ ନା ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଦେବେନ୍ଦ୍ର ଫଡନଭିସ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନିଷ୍ପତ୍ତି ହୋଇଛି । ମହାରାଷ୍ଟ୍ରରେ ଫିପଟି ଫିପଟି ଫର୍ମୁଲାରେ ସରକାର ଗଠନ କରିବା ପାଇଁ ଶିବସେନା ଦାବି ଉଠାଇଛି । ୨୮୮ ଆସନରୁ ଏଥର ବିଜେପିକୁ ୧୦୫ଟି ଆସନ ମିଳିଥିବାବେଳେ ଶିବସେନାକୁ ମିଳିଛି ୫୬ଟି ଆସନ । କଂଗ୍ରେସକୁ ୪୪ ଏବଂ ଏନ୍ସିପିକୁ ୫୪ଟି ସିଟ୍ ମିଳିଛି । ବଡ କଥା ହେଉଛି ବିଜେପି ଓ ଶିବସେନା ମେଂଟକୁ ମ୍ୟାକିଜ୍ ନଂବର ମିଳିଯାଇଥିଲେ ବି ଏଠାରେ ବିରୋଧୀ ଅଧିକ ସଶକ୍ତ ହୋଇଛି । ବିଜେପିର ମିଶନ ୨୦୦ ଆସନ ନାରା କିନ୍ତୁ ଫେଲ ମାରିଯାଇଛି ।

ଆଉ ଏବେ ପ୍ରଶ୍ନ ଉଠୁଛି କିଏ ହେବ ମୁଖ୍ୟମନ୍ତ୍ରୀ? ଦେବେନ୍ଦ୍ର ଫଡନବିସ ନା ଆଦିତ୍ୟ ଠାକରେ ? ବିଜେପି-ଶିବସେନା ମେଂଟ ବିଜୟୀ ହେବା ପରେ ଏବେ ଦୁଇ ଦଳର ନଜର ମୁଖ୍ୟମନ୍ତ୍ରୀ ଆସନ ଉପରେ । ଫଡନବିସଙ୍କୁ ବିଜେପି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅଂଟା ଭିଡିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ଭୋଟରେ ବିଜୟୀ ହୋଇଥିବା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି ଶିବସେନା । ସରକାର ଗଠନ ପୂର୍ବରୁ ବିଜେପିକୁ ଫିଫ୍ଟି ଫିଫ୍ଟି ଫର୍ମୂଲା ମନେପକାଇଛି ଶିବସେନା । ନିର୍ବାଚନ ପୂର୍ବରୁ ହୋଇଥିବା ଆଲୋଚନା ଅନୁସାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ହେବ ବୋଲି ସ୍ପଷ୍ଟ କରିଛି ଶିବସେନା । ଅପରପକ୍ଷରେ ଉଭୟ ଦଳ ମଧ୍ୟରେ ଯାହା ବି ନିଷ୍ପତି ହୋଇଛି, ସେ ନେଇ ଖୁବ୍ ଶୀଘ୍ର ସମସ୍ତେ ଜାଣିବାକୁ ପାଇବେ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ ।