ବାପା: କେଉଁଠି ଜୀବନ ଦେଲା ତ କେଉଁଠି ଜୀବନ ନେଲା

କେନ୍ଦ୍ରାପଡ଼ା,କପ୍ତିପଦା,ଏନ୍ଏନ୍ଏସ୍: କେଉଁଠି ପୁଅକୁ ବଞ୍ଚାଇବା ଲାଗି ବାପାର ଜୀବନ ଯାଉଛି ତ ଆଉ କେଉଁଠି ବାପାର ନୃଶଂସତା ଆଗରେ ସ୍ନେହ ମମତା ହାର ମାନିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତର ଗାଲାସାହି ଗ୍ରାମରେ।

ଉକ୍ତ ଗ୍ରାମର ମଧୁ ସିଂ ହେମ୍ବମ ମଙ୍ଗଳବାର ଜଣେ ଲୋକ ସହିତ ବଚସା ହୋଇଥିଲା। ଏଥିରେ ମଧୁ ରାଗ ଜର୍ଜରିତ ଅବସ୍ଥାରେ ଘରକୁ ଫେରିଥିଲା। ତେବେ ଘରେ ପହଞ୍ଚିବା ବେଳକୁ ତା’ର ୫ବର୍ଷର ପୁଅ ସରଦାର ସିଂ ହେମ୍ବ୍ରମ କୌଣସି କାରଣକୁ ନେଇ କାନ୍ଦୁଥିଲା।

ହଠାତ୍ କୌଣସି କଥା ନଶୁଣି ରାଗରେ ଥିବା ମଧୁ ତା’ର ପୁଅକୁ ଟେକି ଆଣି ଘର ବାହାରେ ଥିବା ଏକ ପଥର ଉପରେ ବାରମ୍ବାର କଚାଡ଼ିଥିଲା। ପରେ ନିକଟରେ ଥିବା ଏକ ପୋଖରୀକୁ ଯାଇ ପୁଅକୁ ପୋଖରୀ ପାଣିରେ ପକାଇ ଦେଇଥିଲା ଓ ପାଣିରୁ ଉଠାଇ ପୁଣି ପୋଖରୀ ଆଡ଼ିରେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ କୁନି ପିଲାଟିର ଅକାଳ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପୁଅ ହତ୍ୟାକାରୀ ନୃଶଂସ ବାପ ମଧୁକୁ ଗିରଫ କରିଥିଲା।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ନଡ଼ିଆବରାଇ ପଞ୍ଚାୟତର ଡାହାଳପୁର ଗ୍ରାମରେ ଆକ୍ରମଣକାରୀଙ୍କ କବଳରୁ ପୁଅକୁ ବଞ୍ଚାଇବାକୁ ଆସି ବାପାଙ୍କୁ ଜୀବନ ହରାଇବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କେତେକ ବ୍ୟକ୍ତି ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମିଳିତ ଭାବେ ଗାଁର ଶୁକଦେବ ରାଉତଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରୁଥିବାବେଳେ ସୁକାନ୍ତଙ୍କ ବାପା ସତ୍ୟାନନ୍ଦ ରାଉତ (୭୫) ପୁଅକୁ ବଞ୍ଚାଇବାକୁ ଯାଇ ତଳେପଡ଼ି ସଂଜ୍ଞା ହରାଇଥିଲେ। ତେବେ ତାଙ୍କୁ ମେଡିକାଲକୁ ନିଆଯାଉଥିବାବେଳେ ସତ୍ୟାନନ୍ଦ ପ୍ରାଣ ହରାଇଛନ୍ତି।