ଜାଣନ୍ତୁ ସଟଡାଉନ ସମୟରେ କ’ଣ ଖୋଲା ରହିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସରକାରଙ୍କ ଘୋଷଣାକ୍ରମେ ଚଳିତ ମାସ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟଡାଉନ ନିୟମ ଲାଗୁ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ଜୁନ ମାସରେ ୮ ଦିନ ସଟଡାଉନ ହେବ ବୋଲି ଜଣାପଡ଼ିଛି। ଏଥିସହ ଆସନ୍ତାକାଲି ଠାରୁ ସଟଡାଉନ ନିୟମ ଲାଗୁ କରାଯାଉଛି।

ଏଥିପାଇଁ ଏସଆରସିଙ୍କ ପକ୍ଷରୁ ଆଜି ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ସଟଡାଉନ ସମୟରେ ମେଡିକାଲ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେ କୌଣସି ଲୋକ ଯାତାୟତ କରିପାରିବେ। ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡିତ କର୍ମଚାରୀ ମଧ୍ୟ ସଟଡାଉନ ସମୟରେ ଯାଇପାରିବେ। ଏୟାରପୋର୍ଟ, ଷ୍ଟେସନ, ବସ୍ ଟର୍ମିନାଲ ସହ ଜଡିତ କର୍ମଚାରୀଙ୍କୁ ମଧ୍ୟ ଯିବା ଆସିବା ପାଇଁ ଅନୁମତି ରହିଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି। ଖାଲି ଏତିକି ନୁହେଁ, ବରଂ ସ୍ୱିଗି, ଜୋମାଟୋ ଡେଲିଭରି ବଏଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ସୂଚନା ରହିଛି। ଏହାବାଦ ଖବର କାଗଜ ହକରଙ୍କୁ ସକାଳ ୫-୮ଟା ଯାଏଁ ବିକ୍ରି ପାଇଁ ଅନୁମତି ରହିଛି। ଏଲପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ମଧ୍ୟ ଅନୁମତି ମିଳିବ।

ଅନ୍ୟପଟେ ସଟ ଡାଉନ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ସଟଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ। ଟେଲିକମ, ମାଲ ପରିବହନ, କୃଷି ସମ୍ପର୍କିତ କାର୍ୟ୍ୟ ଚାଲୁ ରହିବ। ଏଥିସହ ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବା ବେଳେ ରାଜଧାନୀରେ ମୋ’ବସ୍ ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି ମନ୍ତ୍ରୀ। ଅନ୍ୟପଟେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ କାର୍ୟ୍ୟବି ସମ୍ପାଦନ ହୋଇପାରିବ ବୋଲି ସେ କହିଛନ୍ତି।