ବ୍ଲାକଉଡଙ୍କ ବଢ଼ିଆ ବ୍ୟାଟିଂ: ୱେଷ୍ଟଇଣ୍ଡିଜର ବିଜୟ

ସାଉଥାମ୍ପ୍‌ଟନ,ଏଜେନ୍ସି: ବିଶ୍ୱରେ କରୋନା ସଂକ୍ରମଣ ପରେ ଖେଳା ଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ୍। ଏହି ଦର୍ଶକ ବିହୀନ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଘରୋଇ ଇଂଲଣ୍ଡ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାରକରି ଇଣ୍ଡିଜ୍ ୪ ୱିକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚର ଟେଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି। ୨୦୦୦ ପରେ ପ୍ରଥମଥର ପାଇଁ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍‌ରେ ଆଗୁଆ ହୋଇଛି ଇଣ୍ଡିଜ୍। ୨ୟ ଇନିଂସରେ ୱେଷ୍ଟଇଣ୍ଡିଜକୁ ୨୦୦ ରନ‌ର ବିଜୟଲକ୍ଷ୍ୟ ମିଳିଥିବା ବେଳେ ଜର୍ମେନ୍ ବ୍ଲାକ‌ଉଡ‌ଙ୍କ ୯୫ ରନ୍ ବଳରେ ଏହା ୬ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା। ଇଂଲଣ୍ଡ ରବିବାର ୫ମ ତଥା ଅନ୍ତିମ ଦିନରେ ୨ୟ ଇନିଂସରେ ୩୧୩ ରନ କରି ଅଲଆଉଟ ହେବା ଯୋଗୁଁ ୱେଷ୍ଟଇଣ୍ଡିଜ‌କୁ ୨ୟ ଇନିଂସରେ ୨୦୦ ରନର ପିଛା କରିବାକୁ ପଡ଼ିଥିଲା। ୧୬ରୁ ୨ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ।

ୱେଷ୍ଟଇଣ୍ଡିଜ୍ ବିପର୍ଯ୍ୟୟ ସହ ୨ୟ ଇନିଂସ ଆରମ୍ଭ କରିଥିଲା। ମାତ୍ର ୨୭ ରନ୍‌ରେ ଇଣ୍ଡିଜ୍ ୩ଟି ୱିକେଟ ହରାଇଥିବା ବେଳେ ଜନ୍ କ୍ୟାମ୍ପବେଲ୍‌ ୧ ରନ ‌କରି ରିଟାର୍ଡ ହଟ ହୋଇ ଫେରିଯାଇଥିଲେ। କ୍ରେଗ୍ ବ୍ରାଥୱେଟ୍‌ ୪ ଓ ସମାରା ବ୍ରୁକସ ବିନା ସ୍କୋରରେ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ସାଇ ହୋପ୍ ୯ ରନ୍ କରିଥିଲେ। ୪ର୍ଥ ୱିକେଟ ପାଇଁ ରୋଷ୍ଟନ୍ ଚେଜ୍ ଓ ଜର୍ମେନ୍ ବ୍ଲାକଉଡ୍‌ ୭୩ ରନ୍ ଯୋଡ଼ିଥିଲେ। ଚେଜ୍ ୩୭ ରନ କରି ଆର୍ଚରଙ୍କ ୩ୟ ଶିକାର ହୋଇଥିଲେ। ଏହାପରେ ବ୍ଲାକ‌ଉଡ୍‌ ଓ ସେନ୍ ଡାଓରିଚ୍ ଲଢ଼ୁଆ ବ୍ୟାଟିଂ କରି ୫ମ ୱିକେଟ ପାଇଁ ୬୮ ରନ୍ ଯୋଗକରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ଡାଓରିଚ୍ ୨୦ ରନ୍ କରିଥିଲେ। ପରେ ବ୍ଲାକ‌ଉଡ୍‌ ଓ ଜେସନ୍ ହୋଲଡର ୨୧ ରନ୍ ଯୋଗ କରିଥିଲେ। ମାତ୍ର ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବ୍ଲାକ୍‌ଉଡ୍‌ ଚମତ୍କାର ବ୍ୟାଟିଂ କରି ୧୨ଟି ଚୌକା ସହ ୯୫ ରନ୍ କରିଥିଲେ। ହୋଲ୍‌ଡର ୧୪ ଓ ଜନ୍ କ୍ୟାମ୍ପବେଲ ୮ ରନ୍ କରି ଅପରାଜିତ ଥିଲେ। ଆର୍ଚର ୩ଟି ୱିକେଟ ପାଇଥିଲେ।

୪ର୍ଥ ଦିନ ଶେଷରେ ଇଂଲଣ୍ଡ ୨ୟ ଇନିଂସରେ ୮ ୱିକେଟରେ ୨୮୪ ରନ୍ କରିଥିଲା। ରବିବାର ଅନ୍ତିମ ଦିନରେ ଇଂଲଣ୍ଡର ୨ୟ ଇନିଂସ ୩୧୩ ରନ‌ରେ ସମାପ୍ତ ହୋଇଥିଲା। ଇଂଲଣ୍ଡ ଶେଷଦିନରେ ଆଉ ୩୯ ରନ୍ ଯୋଗ କରି ଶେଷ ୨ଟି ୱିକେଟ ହରାଇଥିଲା। ଜୋଫ୍ରା ଆର୍ଚର ୪ଟି ଚୌକା ସହ ୨୩ ରନ୍ କରିଥିଲେ। କ୍ରମାଗତ ୨ୟ ଇନିଂସରେ ଭଲ ବୋଲିଂ କରି ଫାଷ୍ଟବୋଲର ସାନନ୍ ଗାବ୍ରିଏଲ୍‌ ୫ଟି ୱିକେଟ ପାଇଥିଲେ। ରୋଷ୍ଟନ୍ ଚେଜ୍ ଓ ଆଲଜାରି ଜୋସେଫ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ। ମ୍ୟାଚ‌ରେ ୯ଟି ୱିକେଟ ନେଇଥିବା ଗାବ୍ରିଏଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।