ଫେବୃଆରୀ ୫ରେ ପଶ୍ଚିମ ଓଡିଶା ବନ୍ଦ ଡାକରା

ବଲାଙ୍ଗୀର,ଏନଏନଏସ: ଆସନ୍ତା ପେବୃଆରୀ ୫ ତାରିଖ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସମୟରେ ଯାନ ବାହାନ ଚଳାଚଳ , ସ୍କୁଲ କଲେଜ , ସରକାରୀ କାର୍ଯ୍ୟାଳୟ , ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ , ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରହିବ । ବଲାଙ୍ଗୀର ଓକିଲ ସଂଘ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡିଶାର ଓକିଲ ସଂଘମାନଙ୍କ ନେଇ ଆଜି ଅନୁଷ୍ଠିତ ହୋଇଥିବା ଏକ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ମଧ୍ୟ ଜାରି ରହିବ ।

ସୂଚନାଯୋଗ୍ୟ ଯେ , ଆଇନ ବ୍ୟବସ୍ଥାକୁ ଲୋକଙ୍କ ପାଦଦେଶରେ ପହଞ୍ଚାଇବା ପାଇଁ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ପାଇଁ ବିଭିନ୍ନ ଜିଲ୍ଲାର ଓକିଲ ସଂଘମାନେ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି । ତେବେ ଓକିଲମାନଙ୍କ ଏଭଳି ଆନ୍ଦୋଳନ ଆଇନ ବିରୋଧି ବୋଲି ନିକଟରେ ସୁପ୍ରିମକୋର୍ଟ ଦେଇଥିବା ତାଙ୍କ ଏକ ଅନ୍ତରୀଣ ରାୟରେ ଦର୍ଶାଇଛନ୍ତି । ଏହି ରାୟକୁ ନେଇ ତର୍ଜମା କରିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ବଲାଙ୍ଗୀର ରେ ଓକିଲମାନଙ୍କ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର ଓକିଲ ସଂଘର କର୍ମକର୍ତ୍ତମାନେ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ଆମେ ସମ୍ମାନ ଦେଉଛୁ ବୋଲି ଓକିଲମାନେ ମତ ରଖିଥିଲେ । ତେବେ କେଉଁ ପରିସ୍ଥିତିରେ ଏହି ରାୟ ଆସିଲା ତାର ସମୀକ୍ଷା କରାଯିବା ଆବଷ୍ୟକ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ ଯେତେବେଳେ ରାୟ ଦେଲେ ଏହି ଅଞ୍ଚଳର ଓକିଲମାନେ ସେତେବେଳେ ପକ୍ଷ ନଥିଲେ । ତେଣୁ ଏକ ପକ୍ଷକୁ ଶୁଣି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ତେବେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବା ସମୟରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତଥା ଓଡିଶା ସରକାରଙ୍କ ଆଟର୍ଣ୍ଣି ଜେନେରାଲ ଓକିଲମାନଙ୍କ ତଥ୍ୟ କୋର୍ଟରେ ପ୍ରଦାନ କରିନଥିଲେ । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓକିଲମାନେ ଆନ୍ଦୋଳନ କରୁଛନ୍ତି ବୋଲି କୋର୍ଟରେ ଯୁକ୍ତି ରଖାଯିବାର ଆବଷ୍ୟକତା ଥିଲା ବୋଲି ଓକିଲମାନେ କହିଛନ୍ତି । ତେବେ କୋର୍ଟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଗାମୀ ଦିନରେ ଠିକ୍ ଭାବେ ପକ୍ଷ ରଖନ୍ତୁ ବୋଲି ଓକିଲମାନଙ୍କ ତରଫରୁ କୁହାଯାଇଛି ।