ପଶ୍ଚିମବଙ୍ଗରେ ପୂଜା ମଣ୍ଡପକୁ ନେଇ କୋର୍ଟ କହିଲେ ଏପରି

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗରେ ଶାରଦୀୟ ଦୁର୍ଗାପୂଜା ମଣ୍ଡପକୁ କାଲକାଟା ହାଇକୋର୍ଟ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କରିଛନ୍ତି। ଏହା ଫଳରେ କୌଣସି ଭକ୍ତ ପୂଜା ପେଣ୍ଡାଲକୁ ଯାଇପାରିବେ ନାହିଁ। ରାଜ୍ୟରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରନ୍ତି। ତେବେ ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, କେବଳ ପୂଜା ଆୟୋଜକମାନେ ପେଣ୍ଡାଲରେ ରହିପାରିବେ। ବଡ ପୂଜା ମଣ୍ଡପରେ ସର୍ବାଧିକ ୨୫ ଜଣ ଓ ଛୋଟ ମଣ୍ଡପରେ ୧୫ ଜଣ ଆୟୋଜକ ଉପସ୍ଥିତ ରହିପାରିବେ। ସମସ୍ତ ମଣ୍ଡପର ପ୍ରଦେଶ ପଥରେ ବ୍ୟାରିକେଡ୍ ରହିବ। ଛୋଟ ମଣ୍ଡପରେ ଦୂରତା ୫ ମିଟର ଓ ବଡ ମଣ୍ଡପରେ ଦୂରତା ୧୦ ମିଟର ରହିବ। କୋଲକାତାରେ ୩୦ ହଜାରରୁ ଅଧିକ ମଣ୍ଡପ ରହିଛି। ହେଲେ ଏଠାରେ ଭିଡ ନିୟନ୍ତ୍ରଣ ପାଇଁ ସେତିକି ପରିମାଣର ପୁଲିସ ବାହିନୀ ନାହାନ୍ତି ବୋଲି କୋର୍ଟ କହିଛନ୍ତି।