ପଶ୍ଚିମବଙ୍ଗ ଉପନିର୍ବାଚନ: ଟିଏମସିର ହ୍ୟାଟ୍ରିକ୍

କୋଲକାତା: ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନ କରିମପୁର, ଖଡ଼ଗପୁର ସଦର ଏବଂ କାଳିୟାଗଞ୍ଜରେ ହୋଇଥିବା ଉପନିର୍ବାଚନରେ ବାଜି ମାରିନେଇଛି ତୃଣମୂଳ କଂଗ୍ରେସ। କାଳିୟାଗଞ୍ଜ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ତପନ ଦେବ ସିଂଘା ବିଜେପି ପ୍ରାର୍ଥୀ କମଲ ଚନ୍ଦ୍ର ସରକାରଙ୍କଠାରୁ ୨ହଜାର ୩୦୪ଖଣ୍ଡ ଭୋଟରେ, ଖଡ଼ଗପୁର ସଦର ଆସନରୁ ଟିଏମସି ପ୍ରାର୍ଥୀ ପ୍ରଦୀପ ସରକାର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରେମଚନ୍ଦ ଝା’ଙ୍କଠାରୁ ୨୦ହଜାର ୮୧୧ଖଣ୍ଡ ଭୋଟରେ ଏବଂ କରୀମପୁର ଆସନରୁ ଟିଏମସି ପ୍ରାର୍ଥୀ ବିମଳେନ୍ଦୁ ସିଂ ରାୟ ନିକଟତର ପ୍ରତିଦ୍ୱନ୍ଦୀ ବିଜେପିର ଜୟପ୍ରକାଶ ମଜୁମଦାରଙ୍କୁ ୨୪ହଜାର ୧୧୯ଖଣ୍ଡ ଭୋଟରେ ନିଜନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟ ହାସଲ କରି ଦଳକୁ ହ୍ୟାଟ୍ରିକ୍ ବିଜୟ ପ୍ରଦାନ କରିଛନ୍ତି।

ଗତ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ୪୨ଟି ଲୋକସଭା ଆସନରୁ ୧୮ଟି ଆସନରେ ବିଜୟ ହାସଲ କରି ଟିଏମସିକୁ ଝଟକା ଦେଇଥିଲା ହେଲେ ଏହି ଉପନିର୍ବାଚନରେ ଟିଏମସି ତିନୋଟି ଯାକ ଆସନରେ ବିଜୟ ଲାଭ କରି ବିଜେପିକୁ କଡ଼ା ଟକ୍କର ଦେଇଛି।

ସୂଚନାଯୋଗ୍ୟ, ଖଡ଼ଗପୁର ସଦର ଆସନର ବିଧାୟକ ଥିବା ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏବଂ କରୀମପୁର ବିଧାନସଭା ଆସନର ବିଧାୟକ ଥିବା ମହୁଆ ମୈତ୍ରା ଗତ ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଦୁଇଟିଯାକ ବିଧାନସଭା ଆସନ ଖାଲି ପଡ଼ିଥିଲା। ଅନ୍ୟପଟେ କାଳିଆଗଞ୍ଜ ବିଧାନସଭା ଆସନରୁ ବିଧାୟକ ଥିବା କଂଗ୍ରେସ ନେତା ପ୍ରଥମନାଥ ରାୟଙ୍କ ମୃତ୍ୟୁ ପରେ ସେହି ଆସନଟି ଖାଲି ରହିଥିଲା। ଏନେଇ ଗତ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୭୫.୩୪ପ୍ରତିଶତ ମତଦାନ ହୋଇଥିଲା।