ସଇଁନ୍ତଲା,ଏନ୍ଏନ୍ଏସ୍: ଗ୍ରୀଷ୍ମ ଋତୁରେ ବଲାଙ୍ଗୀର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ସରକାରଙ୍କ ‘ଘର ଘର ଜଳ, ଘର ଘର ନଳ’ ଯୋଜନା ପ୍ରହସନ ପାଲଟିଛି । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ପ୍ରଶାସନିକ ଅବହେଳା ଯୋଗୁ ଲୋକେ ପାଣି ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ବଲାଙ୍ଗୀର ଜିଲ୍ଲା ବନ୍ଦକେଡ଼ା ଗାଁ ଲୋକଙ୍କ ପାଇଁ କୂଅ ପାଣି ଭରଷା ପାଲଟିଛି । ଅନେକ ଲୋକେ ଏହି ପାଣି ବ୍ୟବହାର କରିବା ଦ୍ୱାରା ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଜଣାପଡ଼ିଛି । ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମିଜୀବ ମଞ୍ଚ ଓଡ଼ିଶା ଲୋକ ଉନ୍ନତି ସଂଗଠନ ବଲାଙ୍ଗୀର ପକ୍ଷରୁ ପାଣି ପାଇଁ ୧୭ଟି ଜିଲ୍ଲାରେ ଅଭିିଯାନ ଆରମ୍ଭ ହୋଇଛି । ଓଡ଼ିଶାର ୧୫୩୦ଟି ଗ୍ରାମକୁ ନେଇ ପାଣିର ସର୍ବେକ୍ଷଣ କରାଯାଇଛି । ଗାଁର ମହିଳା ଓ ଲୋକ ଉନ୍ନତି ସଂଗଠନର ସଦସ୍ୟ ସ୍ୱର୍ଣ୍ଣଲତା ନାୟକ ୨୦୧୯ ଅକ୍ଟୋବରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ସମସ୍ୟାର କୌଣସି ପ୍ରକାର ସମାଧାନ ନ ହେବାରୁ ପୁଣିଥରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ପରେ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁର ମହିଳାମାନେ ସ୍ଥାନୀୟ କୂଅରୁ ପାଣି ସଂଗ୍ରହ କରୁଥିବା ନଜିର ରହିଛି । ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆନଯାଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।