ଡୋପ ଟେଷ୍ଟରେ ଧରାପଡ଼ିଲେ କେ. ରବିକୁମାର, ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ଓଡ଼ିଆ ଭାରୋତ୍ତୋଳକ କେ. ରବିକୁମାର ଡୋପ ଟେଷ୍ଟରେ ଧରାପଡ଼ିଛନ୍ତି। ଏହା ପରେ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ ତାଙ୍କୁ ୪ବର୍ଷ ପାଇଁ କ୍ରୀଡ଼ାରୁ ବାସନ୍ଦ କରିଛି। ରବିକୁମାରଙ୍କ ବ୍ୟତୀତ ଅନ୍ୟ ୪ ଖେଳାଳି ମଧ୍ୟ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ସେମାନେ ହେଲେ ଭାରୋତ୍ତୋଳକ ପୂର୍ଣ୍ଣିମା ପାଣ୍ଡେ, ଗୁର୍‌ମେଲ ସିଂ, ସ୍ପ୍ରିଣ୍ଟର ସଞ୍ଜିତ ଏବଂ ଡିସ୍‌କସ୍‌ ଥ୍ରୋ ଖେଳାଳି ଧରମରାଜ ଯାଦବ। ସମସ୍ତଙ୍କୁ ୪ବର୍ଷ ଲେଖାଏ ବାସନ୍ଦ କରାଯାଇଛି।

ଡୋପ୍‌ ଟେଷ୍ଟରେ ଧରାପଡ଼ିବା ପରେ ରବି କୁମାର ୨୦୨୦ ଟୋକିଓ ଅଲିମ୍ପିକ୍ସରୁ ବାଦ୍‌ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ରବିକୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା​‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ପରେ ସେ ୨୦୧୪ରେ ୭୭ କି.ଗ୍ରା. ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଅନ୍ୟପଟେ ନାଡାର ଏହି ଘୋଷଣା ପରେ ରବି କୁମାର ଗଣମାଧ୍ୟମ ସମ୍ମୁଖରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ନାଡାରେ ମୋର ଶୁଣାଣି ଶେଷ ହୋଇନାହିଁ। ଶୁଣାଣି ଜାରି ରହିଛି ଏବଂ ମୁଁ ମୋର ପକ୍ଷ ରଖୁଛି। ଗତ ଶୁଣାଣିରେ ନାଡା ମୋ ପକ୍ଷକୁ ଗ୍ରହଣ କରିଛନ୍ତି। ନାଡା ତାଙ୍କର ପ୍ରୋଟୋକଲ ଶେଷ କରିଛନ୍ତି। ମୁଁ ମୋ ଖେଳକୁ ନଷ୍ଟ ହେବାକୁ ଦେବିନାହିଁ ବୋଲି ରବିକୁମାର କହିଛନ୍ତି।