ଝାରସୁଗୁଡ଼ା ଜିଲ୍ଲାରେ ସାପ୍ତାହିକ ସଟଡାଉନ ପ୍ରଭାବ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମହାମାରୀ କରୋନାର ସଂକ୍ରମଣକୁ ରୋକିବା ପାଇଁ ଜୁଲାଇ ମାସରେ ପ୍ରତ୍ୟେକ ଶନିବାର ଏବଂ ରବିବାର ସମଗ୍ର ଝାରସୁଗୁଡ଼ା ଜିଲ୍ଲା ସଟଡାଉନ ରହିବ ବୋଲି ପ୍ରଶାସନ ଘୋଷଣା କରିଛି। ଏନେଇ ଝାରସୁଗୁଡ଼ାରେ ଆଜି ସାଧାରଣ ପରିବହନ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା ଯଥା- ଚିକିତ୍ସାଳୟ, ଥାନା, ଅଗ୍ନିଶମ ବିଭାଗ, ପ୍ରଶାସନିକ କାର୍ଯ୍ୟାଳୟ ଖୋଲା ରହିଛି। ସେହିପରି କୃଷି, ଗୋପାଳନ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ, ପେଟ୍ରୋଲ ପମ୍ପ, ଦୁଗ୍ଧ ଯୋଗାଣକୁ ସଟଡାଉନରୁ ବାଦ ଦିଆଯାଇଛି।

ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିଥିବାବେଳେ ସାଧାରଣ ଲୋକଙ୍କ ଗମନାଗମନ ଉପରେ କଟକଣା ଲଗାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର ମଧ୍ୟ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସଟଡାଉନ ସମୟରେ ଘରୁ ବାହାରିଥିବା ଲୋକଙ୍କ ଆବଶ୍ୟକୀୟ କାଗଜପତ୍ର ତଦାରଖ କରୁଛନ୍ତି।