୨୧ ଦିନ ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ ନିର୍ଦ୍ଦେଶ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛି। ଏହିକ୍ରମରେ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ୨୧ ଦିନ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥଲାଗି ଶନିବାରଠାରୁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟଗୁଡ଼ିକୁ ବନ୍ଦ କରିବା ସହ ବିଡିଓ, ପୌର ନିର୍ବାହୀ ଅଧିକାରୀ, ପୁଲିସ ଏବଂ ପ୍ରଶାସନିକ କାର୍ଯ୍ୟାଳୟକୁ ଏହାର କଡ଼ାକଡ଼ି ପାଳନ ତଥା କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ସରୋଜ କୁମାର ସାମଲ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ନିତିଦିନିଆ ପରିବା ତଥା ଆମିଷ ବଜାର ଭିନ୍ନ ଭିନ୍ନ ସ୍ଥାନରେ ଦୂରତା ରକ୍ଷା କରି ଖୋଲା ରହିବ। ହାଟ ବଜାରରେ ଲୋକଙ୍କ ଭିଡ଼କୁ ବାରଣ କରିବା ଲାଗି ପ୍ରଶାସନ ପକ୍ଷରୁ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।