ସୋସିଆଲ୍ ମିଡିଆରେ ରଣବୀର-ଆଲିଆଙ୍କ ୱେଡିଂ କାର୍ଡ

ବଲିଉଡ୍ ଆକ୍ଟ୍ରେସ୍ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ପ୍ରେମ ସମ୍ପର୍କରେ ଢେର୍ ଦିନ ହେଲା ଚର୍ଚ୍ଚା ଚାଲିଛି। ଦୁହେଁ ଏକାଠି ବୁଲୁଛନ୍ତି, ବିଦେଶରେ ସମୟ ବିତାଉଛନ୍ତି ଆଦି ଖବର ତ ପ୍ରାୟ ପ୍ରତ୍ୟେକ ଦିନ ମିଡିଆରେ ପ୍ରକାଶିତ ହେଉଛି। ଦୁହେଁ ବିବାହ କରିବେ ବୋଲି ଅନେକ ଥର ଚର୍ଚ୍ଚା ହେଲାଣି। ମଝିରେ ତ ଶୁଣିବାକୁ ମିଳିଥିଲା, ଆଲିଆ କୁଆଡ଼େ ବାହାଘର ପାଇଁ ଲେହଙ୍ଗା ବି ପ୍ରସ୍ତୁତ କରିସାରିଲେଣି। ପରେ ଅବଶ୍ୟ ଏହା ତୁଚ୍ଛା ଗୁଜବ ବୋଲି କହିଥିଲେ ଆଲିଆଙ୍କ ମା’ ସୋନି ରାଜଦାନ। ଏବେ ଏକ ନୂଆ ଘଟଣା ପୁଣି ସିନେପ୍ରେମୀଙ୍କୁ ଝଟକା ଦେଇଛି।

କଥା ହେଉଛି, ରଣବୀର ଓ ଆଲିଆଙ୍କ ବିବାହ ନିମନ୍ତ୍ରଣ ପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କାର୍ଡ ମୁତାବକ ୨୦୨୦ ଜାନୁଆରୀ ୨୨ରେ ଦୁହିଁଙ୍କର ବିବାହ ହେଉଛି। ବିବାହ ତାରିଖ ବ୍ୟତୀତ କାର୍ଡରେ କପୁର ଫ୍ୟାମିଲି ଏବଂ ଭଟ୍ଟ ଫ୍ୟାମିଲି ସଦସ୍ୟଙ୍କ ନାଁ ବି ଉଲ୍ଲେଖ ହୋଇଛି। ପୁଣି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସଙ୍କ ବିବାହ ଅନୁଷ୍ଠିତ ହୋଇଥିବା ରାଜସ୍ଥାନ, ଯୋଧପୁରର ଉମ୍ମିଦ ଭବନ ପ୍ୟାଲେସ୍ ରେ ଆଲିଆ, ରଣବୀର ବିବାହ କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ତେବେ ଆଲିଆ ଓ ରଣବୀରଙ୍କ ପ୍ରଶଂସକ ଦୁହିଁଙ୍କ ବିବାହ ହେଉଛି ଭାବି ଖୁସି ହୁଅନ୍ତୁ ନାହିଁ। କାରଣ ଏହା ଏକ ନକଲି ନିମନ୍ତ୍ରଣ ପତ୍ର। ଭାଇରାଲ୍ ହୋଇଥିବା ଏହି କାର୍ଡରେ ଅନେକ ଭୁଲ ଭଟକା ରହିଛି, ଯାହା ପ୍ରମାଣିତ କରୁଛି ଯେ ଏହା ଆଦୌ ଅସଲି ନୁହେଁ। କାର୍ଡରେ ଆଲିଆଙ୍କ ନାଁର ସ୍ପେଲିଂ ଭୁଲ୍ ରହିଛି। ଆଲିଆଙ୍କ ବାପାଙ୍କ ନାଁ ମୁକେଶ ଭଟ୍ଟ ବୋଲି ଲେଖାଯାଇଛି, ମାତ୍ର ସମସ୍ତେ ଜାଣନ୍ତି ଯେ ଆଲିଆ ମହେଶ ଭଟ୍ଟଙ୍କ ଝିଅ।