ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାରୁ ଆଜିଠାରୁ କମିଛି ତାପମାତ୍ରା । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାର କାଳବୈଶାଖୀ ବର୍ଷାକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇଛି । କେତେକ ସ୍ଥାନରେ ବାଦଲ ପାଇଁ ତାତିର ଦାଉ କମ ଥିବାବେଳେ ବେଶୀ ଗୁଳୁଗୁଳୁ ଅନୁଭୂତ ହେଉଛି । ବର୍ତ୍ତମାନର ପାଣିପାଗ ନିୟାମକ ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକକୁ ସତର୍କ ସୂଚନା ଦିଆଯାଇଛି । ସେହିପରି ୧୭ ତାରିଖର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ପାରଦ ତଳକୁ ଖସିବାର ସମ୍ଭାବନା ରହିଛି । ଯଦିଓ ଆଜି ଟିକିଏ ତାପମାତ୍ର ହ୍ରାସ ପାଇଛି ତଥାପି ୧୫ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି ।
ଏନେଇ ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି,” ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଛି । ୨୦ଟି ସହରରେ ୪୦ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଅଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେରେ ବର୍ଷା ହୋଇଛି । କେନ୍ଦୁଝରରେ ସର୍ବାଧିକ ୪.୦ ମିମି ବର୍ଷା ରେକର୍ଡ଼ କରାଯାଇଛି ।”