ଆହୁରି ୪ ଦିନ ଘନ କୁହୁଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ଦୁଇଦିନ ହେଲାଣି ସଞ୍ଜ ଗଡ଼ିଲେ କୁହୁଡ଼ି ମାଡ଼ିଆସୁଛି। ସ୍ଥାନେ ସ୍ଥାନେ କୁହୁଡ଼ିର ମାତ୍ରା ଏତେ ଅଧିକ ରହୁଛି ଯେ ମାତ୍ର ୧୦ ମିଟର ଦୂରରେ ଥିବା କୌଣସି ଜିନିଷ ଦେଖାଯାଉନାହିଁ। ମଧ୍ୟରାତ୍ରୀରୁ କୁହୁଡ଼ି ଆରମ୍ଭ ହେଉଥିବା ବେଳେ ସକାଳ ୯ଟି ପର୍ଯ୍ୟନ୍ତ ଅନେକ ସ୍ଥାନରୁ କୁହୁଡ଼ି ଛାଡ଼ୁନାହିଁ। ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ ଯାନବାହନ ଚଳାଚଳ ପାଇଁ କାଠିକର ପାଠ ହେଲାଣି। ତେବେ ଏଭଳି ସ୍ଥିତି ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ସତର୍କତା ଜାରି କରାଯାଇଛି।

ଶୁକ୍ରବାର ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ କୁହୁଡ଼ିର ମାତ୍ରା ସର୍ବାଧିକ ଅନୁଭୂତ ହୋଇଥିଲା ବେଳେ ରବିବାର ଏହା ପ୍ରାୟ ୯ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ। ବିଶେଷକରି ଖୋର୍ଦ୍ଧା, ପୁରୀ, କଟକ, ଭଦ୍ରକ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ପାଣି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସୋମବାର ପାଇଁ ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କୁହୁଡ଼ି ଯୋଗୁଁ ଶୀତର ପ୍ରକୋପ ମଧ୍ୟ ହ୍ରାସ ପାଇଛି। ତେବେ ଆସନ୍ତା ୩-୪ ଦିନ ଭିତରେ ତାପମାତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କେନ୍ଦ୍ର ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନୟାଗଡ଼ରେ ସର୍ବାଧିକ ୩୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।