ଶୀତ କମିଲେ ବର୍ଷା ଆରମ୍ଭ, ୨ ଦିନ ଭିଜିବ ରାଜ୍ୟ By Nitidin On Dec 30, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଦିନ ବେଳା ଯାହା ଯେମିତି ଚଳିଯାଉଛି। ସଞ୍ଜ ନଇଁଲେ ଜାଡ଼ ମାଡ଼ି ଆସୁଛି। ରବିବାର ତୁଳନାରେ ସୋମବାର ତାପମାତ୍ରା ସାମନ୍ୟ ବୃଦ୍ଧି ଘଟିଥିବା ବେଳେ ଆଉ ଗୋଟିଏ ଦିନ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ଦିନ ବାଲେଶ୍ୱର, ଅନୁଗୁଳ, ବଲାଙ୍ଗିର, କଳାହାଣ୍ଡି ଓ ସୋନପୁର ଆଦି ଜିଲ୍ଲାରେ ପ୍ରବଳ ଶୀତ ଅନୂଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୂମାନ କରିଥିବା ବେଳେ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ର ବଢ଼ିବାର ଥିବା ବେଳେ ସାରା ରାଜ୍ୟରେ ଶୀତ କମିବ। ଏହା ବ୍ୟତୀତ ଆସନ୍ତା ୨ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୂ ସୂଚନା ଦିଆଯାଇଛି। ୨ ତାରିଖରେ ପାଗରେ ପରିବର୍ତ୍ତନ ଆସି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ହେବା ସହ ୩ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି କେନ୍ଦ୍ର ସୂଚନା ଦେଇଛି। Share