ହାଡ଼ ଭଙ୍ଗା ଶୀତରେ ଥରୁଛି ଓଡ଼ିଶା ରାଜ୍ୟ By Nitidin Last updated Dec 28, 2019 Share ୯ ଡିଗ୍ରୀ ତଳେ ୧୦ ସହର ୧୮ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ବିଭିନ୍ନ ସ୍ଥାନରେ ତୁଶାରପାତ ନୂଆ ବର୍ଷରେ ବର୍ଷା ଆଶଙ୍କା ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଏମିତି ଶୀତ ଆସନ୍ତା ଦୁଇତିନି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେଣୁ ରାଜ୍ୟର ଅଧିକାଂଶ ଅଞ୍ଚଳ ପାଇଁ କୋଲ୍ଡ ୱେଭ୍ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇବାରୁ ପାରଦ ତଳକୁ ଖସିଛି। ସୋନ୍ପୁରରେ ଶୁକ୍ରବାର ରାତିର ତାପାମାତ୍ରା ୪ ଡିଗ୍ରୀରେ ରହିଥିଲା। ସେହିପରି କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ବାଲେଶ୍ୱରରେ ୭.୬, ସମ୍ବଲପୁର ୭.୪, ଟିଟିଲାଗଡ଼ ୭.୦ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସରେ ପହଞ୍ଚଛି। ରାଜ୍ୟର ୧୮ଟି ସହର ଯଥା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର ବଲାଙ୍ଗିର ଆଦିରେ ପ୍ରବଳ ଶୀତ ଆଶଙ୍କା ଥିବାରୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାବ୍ୟତୀ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ବଲାଙ୍ଗିର ଜିଲ୍ଲାପାଇଁ ମଧ୍ୟ ୟେଲୋ ୱାର୍ଣ୍ଣି ଜାରି ହୋଇଛି। ଶୀତ ବଢ଼ିବା ସହିତ ରାଜ୍ୟର ଅନେକ ସ୍ଥାନରେ ତୁଷାରପାତ ହୋଇଛି। କେନ୍ଦୁଝର ଜିଲ୍ଲାରେ ବଡ଼ବିଲ, ବଲାଣି, କିରିବୁରୁ ଓ କାଞ୍ଜିପାଣି ସମେତ ବାଂଶପାଳ ବ୍ଲକର କେତେକ ଅଞ୍ଚଳରେ ତୁଷାରପାତ ହୋଇଛି। କେନ୍ଦୁଝର ସଦର ବ୍ଲକର ରାଇସୁଆଁ ମୁସଲିମ ବସ୍ତି, ବାଉରୀପଦା, ଜଡ଼ିପଦା ଓ ଭାଲୁପାହାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଛି। ସେହିପରି ଯୋଡ଼ାରେ ପାରଦ ୩ ଡିଗ୍ରୀକୁ ଖସି ଯାଇଥିବା ବେଳେ ଶନିବାର ସକାଳୁ ଏଠାରେ ତୁଷାରପାତ ହୋଇଥିଲା। ରାତି ୯ଟା ପରେ କୁହୁଡ଼ି ଆରମ୍ଭ ହୋଇଯାଉଥିବାରୁ ଯାନବାହନ ଚଳାଚଳରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି। ଘନ କୁହୁଡ଼ି ଯୋଗୁ କଳାପାହାଡ଼ ଘାଟିରେ ତିନୋଟି ଟ୍ରକ୍ ଦୁର୍ଘଟଣାଗସ୍ତ ହୋଇଥିବା ଖବର ମିଳିଛି। ସେହିପରି ଝାରସୁଗୁଡ଼ା ଜିଲାର ଲଇକେରା ଓ ବରଗଡ଼ ଜିଲ୍ଲା ଝାରବନ୍ଧ ଅଞ୍ଚଳରେ ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଡିସେମ୍ବର ମାସ ପର୍ଯ୍ୟନ୍ତ ଶୀତର ପ୍ରକୋପ ବଢ଼ିନଥିବା ବେଳେ ଗତ ଦୁଇଦିନ ହେବ ଅକସ୍ମାତ ଭାବେ ପାରଦ ତଳକୁ ଖସୁଛି। ଆସନ୍ତା ୩୧ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରିହବା ସହିତ ନୂଆ ବର୍ଷଠାରୁ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁୁପାଳକ କହିଛନ୍ତି ଯେ ରାଜ୍ୟକୁ ବର୍ତ୍ତମାନ ଉତ୍ତରା ପବନ ବୋହୁଥିବାରୁ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରବିବାରଠାରୁ ସାରା ରାଜ୍ୟରେ ଥଣ୍ଡା କମି ଭୁବନେଶ୍ୱରରେ ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ସେହିପରି ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ବି ୫-୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ରବିବାରଠାରୁ ରାଜ୍ୟରେ କୋହଲା ଓ ମେଘୁଆ ପାଗରେ ପରିବର୍ତ୍ତନ ଆସିବାକୁ ଥିବା ବେଳେ ଥଣ୍ଟା କମିବ। ତେବେ ୧ ତାରିଖଠାରୁ ଉତ୍ତର ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଭୁବନେଶ୍ୱର ସମେତ ବାକି ଅଞ୍ଚଳରେ ବି ୨ ତାରିଖ ଦିନ ବର୍ଷା ହେବ। ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ବାକି ଅନ୍ୟ ଅଞ୍ଚଳଗୁଡ଼ିକରେ ସ୍ୱଳ୍ପ ବର୍ଷା ହେବ। ଏହାସହିତ ୨ ଓ ୩ ତାରିଖରେ ରାଜ୍ୟରେ କୋହଲା ପାଗ ଲାଗି ରହିବା ସହିତ ତାପମାତ୍ରା ହ୍ରାସ ପାଇବ। ଦିନବେଳା ତାପମାତ୍ରା ବିଶେଷ କମିବା ଯୋଗୁ ଶୀତ ଅନୂଭୁତ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ପ୍ରବଳ ଶୀତ ଯୋଗୁଁ ଅନେକ ସ୍ଥାନରେ ଲୋକମାନେ ହଇରାଣ ହେଉଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷପ ନେବାସହିତ ରାତିରେ ବାସହୀନ ଲୋକଙ୍କ ପାଇଁ ସ୍କୁଲ ଖୋଲାରଖିବାକୁ ଏସ୍ଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁମାନଙ୍କର ରହିବା ପାଇଁ ଆବଶ୍ୟକୀୟ ଘର ନାହିଁ ସେମାନଙ୍କୁ ରାତ୍ର ଆଶ୍ରସ୍ଥଳୀରେ ରହିଖା ପାଇଁ ନେବାକୁ କୁହାଯାଇଛି। ଏହାସିହିତ ସବୁ ତହସିଲ ଓ ଗ୍ରାମ ପଞ୍ଚାୟତ ସହିତ ସହରାଞ୍ଚଳରେ ଥିବା ରାତ୍ର ଆଶ୍ରୟ ସ୍ଥଳଗୁଡ଼ିକରେ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। Share