ପିପିଇ କିଟ୍ ପିନ୍ଧି ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ

ମାଲକାନଗିରି, ଏନ୍ଏନ୍ଏସ୍: କୋଭିଡ୍-୧୯ ମହାମାରୀ ସମୟରେ ସରକାରୀ କର୍ମଚାରୀଙ୍କ ମୃତ ଶରୀରକୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ସ୍ତ୍ରୀ । କରୋନା ଭୟରେ ଆତ୍ମୀୟମାନେ ନଆସିବାରୁ ବାଧ୍ୟ ହୋଇ ମୁଖାଗ୍ନି ଦେଇଥିଲେ ପତ୍ନୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାନ୍ଦାପାଲ୍ଲୀ ଗ୍ରାମରେ। ମାନ୍ଦାପାଲ୍ଲୀ ଗ୍ରାମର କୃଷ୍ଣ ଚନ୍ଦ୍ର ନାୟକ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ ଲମତାପୁଟ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ କରୋନା ମହାମାରୀ ଚାଲିଥିବାରୁ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ବାହାରିଥିଲା। ଚିକିତ୍ସା ସମୟରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମୃତଦେହକୁ ତାଙ୍କ ନିଜର ପୈତୃକ ଗ୍ରାମ ମାନ୍ଦାପାଲ୍ଲୀକୁ ଅଣାଯାଇଥିଲା। ତେବେ ତାଙ୍କୁ କରୋନା ଥିବା ସନ୍ଦେହ କରି ସମ୍ପର୍କୀୟମାନେ ଆସି ନଥିଲେ। ଫଳରେ ବାଧ୍ୟ ହୋଇ ପ୍ରଶାସନର ସହାୟତାରେ କୋଭିଡ ନିୟମ ମୁତାବକ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହୋଇଥିଲା। ତାଙ୍କ ପତ୍ନୀ ପୁଷ୍ପା ନାୟକ ସ୍ୱାମୀଙ୍କ ଶବକୁ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ ।ଏହି ସମୟରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ମାଥିଲି ବ୍ଲକ କର୍ମଚାରୀ ଓ ସହପାଠୀମାନେ ଉପସ୍ଥିତ ଥିଲେ।