ଆମେ ଆଗକୁ ଭାରତ ସହ ଆଉ ସଂଘର୍ଷ ଚାହୁଁନାହୁଁ : ଚୀନ ବିଦେଶ ମନ୍ତ୍ରଣାଳୟ

ନଆଦିଲ୍ଲୀ: ଲଦାଖର ଗଲାବନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଆକ୍ରମଣାତ୍ମକ ସଂଘର୍ଷ ହୋଇଛି। ଏହି ସଂଘର୍ଷକୁ ନେଇ ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲିଜିୟନ କହିଛନ୍ତି କି, ‘ଆମେ ଆଗକୁ ଭାରତ ସହ ଆଉ ସଂଘର୍ଷ ଚାହୁଁନାହୁଁ। ଉଭୟ ଦେଶ ମଧ୍ୟରେ କୂଟନୈତିକ ଓ ସୈନ୍ୟସ୍ତରୀୟ ଆଲୋଚନା ଚାଲିଛି। ଭାରତ ସହ ସ୍ଥିତି ସୁଧାରିବାକୁ ନେଇ ପ୍ରୟାସ ଜାରି ରହିଛି।’

ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲିଜିୟନ ଆହୁରି କହିଛନ୍ତି କି, ଗାଲବାନ ଘାଟି କ୍ଷେତ୍ରର ସାର୍ବଭୌମତ୍ୱ ସର୍ବଦା ଚୀନ ସହ ଜଡ଼ିତ। ସୀମା ସହ ଜଡ଼ିତ ପ୍ରସଙ୍ଗ ଓ କମାଣ୍ଡର ସ୍ତରୀୟ ଆଲୋଚନା ପରେ ମଧ୍ୟ ଭାରତୀୟ ସେନା ସୀମା ପାର କରିଛନ୍ତି। ଭାରତୀୟ ସେନା ସୀମା ସମ୍ବନ୍ଧିତ ନିୟମକୁ ଭାଙ୍ଗିଛନ୍ତି। ସୀମାବର୍ତ୍ତୀ ସୈନିକଙ୍କୁ ଅନୁଶାସିତା କରିବା, ନିୟମ ଉଲଂଘନ ନକରିବା, ଉସୁକାଇବା ପରି କାର୍ଯ୍ୟକଳାପକୁ ରୋକିବା ସହ ଚୀନ ସହ କାମ କରିବା ପାଇଁ ଆମେ ଭାରତକୁ ପରମର୍ଶ ଦେଇଥାଉ। ଆଲୋଚନା ମାଧ୍ୟମରେ ମତଭେଦକୁ ସମାଧାନ କରିବା ପାଇଁ ମଧ୍ୟ କହିଥାଉ।

ସୂଚନାଯୋଗ୍ୟ, ଭାରତ ଓ ଚୀନ ସୀମାରେ ଲାଗି ରହିଥିବା ବିବାଦ ଏବେ ଚରମ ସୀମାରେ ପହଂଚିଯାଇଛି। ସେମାବାର ରାତିରେ ଏଲଏସିରେ ଥିବା ଗଲବାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଆକ୍ରମଣାତ୍ମକ ସଂଘର୍ଷ ହେବା ଯୋଗୁ ଭାରତର ୨୦ ଓ ଚୀନର ୩୫ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାର ଫଳାଫଳ ଏପର୍ଯ୍ୟନ୍ତ ମିଳିନଥିବାରୁ ଲଦାଖ ସୀମାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।