ଜୁନାନୀମୁଣ୍ଡା ଗାଁ ଲୋକଙ୍କ ଝରଣାପାଣି ଭରସା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସରକାର ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଖରାଦିନେ କାହାରିକୁ ଜଳ କ୍ଲିଷ୍ଟ ଭୋଗିବାକୁ ନପଡୁବୋଲି ଗ୍ରାମ ଅବା ସହରରେ ଖରାପ ହୋଇ ପଡିଥିବା ନଳକୂଅ, ବୋରୱେଲର ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟରେ ଏମିତି ବି ଅନେକ ଗାଁ ରହିଛି ଯେଉଁଠାରେ କୁଅ, ନଳକୂଅ କି ବୋରୱେଲ ଟିଏ ନାହିଁ। ଫଳରେ ଖରାଦିନେ ଗ୍ରାମବାସୀମାନେ ପାଣି ବୁନ୍ଦାଏ ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହିପରି ଜଳକ୍ଲିଷ୍ଟ ଭୋଗୁଥିବା ଏକ ଗାଁ ହେଉଛି ଝାରସୁଗୁଡା ଜିଲ୍ଲା ରାଜପୁର ପଞ୍ଚାୟତ ଅନ୍ତର୍ଗତ ଜୁନାନୀମୁଣ୍ଡା।


ଝାରସୁଗୁଡା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୧୦ କିଲୋମିଟର ଦୂରରେ ଜୁନାନୀମୁଣ୍ଡା ଗ୍ରାମ ଅବସ୍ଥିତ। ଗ୍ରାମରେ ୩ଶହରୁ ଊଦ୍ଧ୍ୱର୍ ଲୋକ ବସବାସ କରନ୍ତି। ହେଲେ ମଧ୍ୟ ଗ୍ରାମରେ କୁଅ, ନଳକୁଅ କି ବୋରୱେଲଟିଏ ନାହିଁ। ଫଳରେ ପାନୀୟଜଳ ପାଇଁ ଗ୍ରାମବାସୀଙ୍କ ଏକମାତ୍ର ଭରସା ତଲିପଡ଼ା ଶିବ ମନ୍ଦିର ନିକଟରେ ଥିବା ଛୋଟ ଝରଣା। ବର୍ଷା ଦିନେ ଏହି ଝରଣାରୁ ଆସୁଥିବା ପାଣିକୁ ଗ୍ରାମବାସୀ ବାନ୍ଧି ଦେଇ ଶୀତଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତି। ହେଲେ ଖରାଦିନ ଆସୁଆସୁ ଝାରଣାର ସ୍ରୋତ କମିଯିବା ସହ ଗଚ୍ଛିତ ଜଳ ମଧ୍ୟ ଶେଷ ହୋଇଯାଏ। ଫଳରେ ଅତି ସରୁ ଧାରରେ ଆସି ଗଚ୍ଛିତ ହେଉଥିବା ପାଣି ଗିନା ସାହାଯ୍ୟରେ ସଂଗ୍ରହ କରି ବାଲଟି, ଗଘରା, ମାଠିଆ ଆଦିରେ ଭରି ଗ୍ରାମବାସୀ ବହ୍ୟବହାର କରୁଛନ୍ତି। ଏଥିପାଇଁ ଗ୍ରାମର ମହିଳା, ଯୁବତୀ ତଥା କୁନିକୁନି ବାଳିକାମାନେ ପ୍ରତିଦିନ ସକାଳ ୫ଟାରୁ ୮ ଟା ଯାଏଁ ଏବଂ ଅପରାହ୍ଣ ୫ଟାରୁ ୬ ଟାଯାଏଁ ଗଘରା, ମାଠିଆ, ବାଲଟି ଧରି ଚାଲିଚାଲି ଝରଣା ପାଖକୁ ଯାଇ ଜଣେ ପରେ ଜଣେ ପାଣି ଆଣି ଥାଆନ୍ତି। ସ୍ୱଚ୍ଛ ପାଣିି ବୁନ୍ଦାଏଁ ପାଇବା ପାଇଁ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେଲାଣି ଦୁଃଖକଷ୍ଟ ଭୋଗୁଛନ୍ତି ବୋଲି ଗ୍ରାମର ଲବ ମୁଣ୍ଡା ଓ ସେବତି ମୁଣ୍ଡା କହିଛନ୍ତି। ହେଲେ ମଧ୍ୟ ଜୁନାନୀମୁଣ୍ଡାବାସୀଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏନେଇ ସ୍ଥାନୀୟ ସରପଞ୍ଚ ଜତୀନ ଦେଓଙ୍କୁ ପଚାପରିବାରୁ କହିଛନ୍ତି ଜୁନାନୀମୁଣ୍ଡା ଗ୍ରାମବାସୀଙ୍କୁ ଜଳ ସମସ୍ୟା ବିଷୟରେ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ପାଇପ ଯୋଗେ ପାଣି ଗାଁକୁ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ହେଲେ ତାହା କୌଣସି କାରଣ ବସତଃ ବନ୍ଦ ହୋଇଯାଇଛି। ଫଳରେ ଗ୍ରାମବାସୀଙ୍କୁ ଖରା ୩ ମାସ ଟ୍ୟାଙ୍କର ସାହାଯ୍ୟରେ ପାଣି ପହଞ୍ଚାଇବାର ବ୍ୟବସ୍ଥା କରାଯାଏ। ସେହିପରି ଝାରସୁଗୁଡା ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଶନ୍ନ ପାଣ୍ଡେଙ୍କୁ ପଚାରିବାରୁ କହିଛନ୍ତି ଗ୍ରାମବାସୀଙ୍କ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ।