ନଦୀର ଗୋଳିଆ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ

ବାଲିଗୁଡା,ଏନ୍ଏନ୍ଏସ୍ : ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସମଗ୍ର କନ୍ଧମାଳରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । ଯାହାକି, କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ’ ବ୍ଲକର ମହାସିଙ୍ଗି ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଛି । ମହାସିଙ୍ଗି ଗ୍ରାମ ପଞ୍ଚାୟତର ତିନୋଟି ଓା୍ୱର୍ଡ ମାଠିଆ ଝୋଲା ସାହି, ବେହେର୍ଦାଲାଇ ସାହି, ପୁରୁଣା ସାହିର ଲୋକେ ଟୋପାଏ ପାଣିପାଇଁ ନିକଟସ୍ଥ ଖଡଗ ନଦୀରେ ଚୁଆ ଖୋଳି ପାନୀୟଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଗାଁ’ରେ ପାଣିଟାଙ୍କି ଅଛି କିନ୍ତୁ ଅଧିକାଂଶ ସମୟରେ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନି । ସ୍ଥାନୀୟ ଲୋକ କ.ନୂଆଗାଁ ବିଡିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଛନ୍ତି ।

ଖରା ବର୍ଷା ଶୀତ ଋତୁରେ ଗ୍ରାମବାସୀ ଗାଁ ନିକଟରେ ପ୍ରଭାହିତ ଖଡଗ ନଦୀର ଜଳଉପରେ ନିର୍ଭର କରି ଚଳୁଛନ୍ତି । ଫଳରେ ବିଭିନ୍ନ ସମୟରେ ହଇଜା ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ସରକାର ପ୍ରତେକ ଗାଁ’କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ତାହା କିନ୍ତୁ ମହାସିଙ୍ଗି ପଞ୍ଚାୟତରେ ଲାଗୁ ହୋଇନ ଥିବା ପରି ମନେ ହେଉଛି । ଏହି ପଞ୍ଚାୟତରେ ସଦା ସର୍ବଦା ପାନୀୟ ଜଳ ସଙ୍କଟ ଲାଗିରହୁ ଥିବା ଯୋଗୁଁ ଏକ ସୋଲାର ପାଣି ଟାଙ୍କି ନିର୍ମାଣ କରିବା ପାଇଁ ୧୧ ନମ୍ବର ୱାର୍ଡ ସଭ୍ୟ ପରମାନନ୍ଦ ବେହେର୍ଦାଲାଇ, ମହିଳା ମହାସଂଘର ସଭାନେତ୍ରୀ ସୁଷମା ବେହେର୍ଦାଲାଇ, ଓ ଗୌରାଙ୍ଗ ପାତ୍ରଙ୍କ ସମେତ ମହାସିଙ୍ଗି ପଞ୍ଚାୟତର ଗ୍ରାମବାସୀମାନେ ପାଣିର ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଦାବୀ କରିଛନ୍ତି । ଅନ୍ୟଥା ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।