ପଇସା ଦେଇ ପାଣି ପିଉଛନ୍ତି ଗ୍ରାମବାସୀ

ଝରିଗାଁ,ଏନ୍ଏନ୍ଏସ୍ : ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଲକଡାଉନ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ସହରଠୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ ପାଣି ସମସ୍ୟା ଲାଗି ରହିଛି । କେତେକ ସ୍ଥାନରେ ସମସ୍ୟାର ସମାଧାନ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ବର୍ଷ ବର୍ଷ ଧରି ସମାଧାନ ନ ହୋଇ ଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାନ୍ତି ଗ୍ରାମବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପାଣି ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସରକାରୀ କର୍ମଚାରୀଙ୍କ ଉଦାସୀନତା ମନୋଭାବ ହେତୁ କେତେକ ସ୍ଥାନରେ ଏହା ଫଳପ୍ରଦ ହୋଇପାରୁନାହିଁ । ଯାହା ଫଳରେ କି ଅଧିବାସୀମାନେ ନଦୀ, ନାଳ, ଝରଣା, କୂଅ ପାଣି ପିଇବା ପାଇଁ ବାଧ୍ୟ ହେଉଥିବା ବେଳେ ପିଇବା ପାଣି ପାଇଁ ଅନ୍ୟ ଆଗରେ ମୁଣ୍ଡ ନୁଆଁଇ ପଇସା ଦେଇ ପାଣି ପିଉଛନ୍ତି ଗ୍ରାମବାସୀ ।

ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଫୁଲଝରି ଗ୍ରାମରେ । ଫୁଲଝରି ଗ୍ରାମରେ ୪୦ରୁ ଉର୍ଦ୍ଧ ପରିବାର ଗୋଣ୍ଡ, ଭତ୍ରା ଆଦିବାସୀ ବସ ବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ଦୁଇ ଶହରୁ ଅଧିକ । ଫୁଲଝରି ଗ୍ରାମରେ ଗମନାଗମନ ପାଇଁ ନା ରହିଛି ଭଲ ରାସ୍ତା ନା ରହିଛି ପିଇବା ପାଇଁ ଭଲ ପାଣି । ଗ୍ରାମରୁ ପ୍ରାୟ ୨ କିଲୋମିଟରରୁ ଅଧିକ ମାଟି ପଥୁରିଆ ରାସ୍ତା ଅତିକ୍ରମ କଲାପରେ ପହଞ୍ଚି ହୁଏ ଫୁଲଝରି ଗ୍ରାମରେ । ପ୍ରତି ଦିନ ସେହି ମାଟି ପଥୁରିଆ ଅତିକ୍ରମ କରି ନିଜର କାର୍ଯ୍ୟ କରିଥାନ୍ତି ଗ୍ରାମବାସୀ । ଖରା ଦିନ କୌଣସି ପ୍ରକାର ଦିନ ଟି କଟିଯାଏ କିନ୍ତୁ ବର୍ଷା ମାସ ରେ ରାସ୍ତା ର ଅବସ୍ଥା ବେହାଲ ହୋଇପଡ଼େ ଯାହାକି ପାଦରେ ଚାଲି କି ଯିବା ମଧ୍ୟ କଷ୍ଟ ହୋଇଥାଏ ।

ରାସ୍ତା ସହିତ ପିଇବା ପାଣି ପାଇଁ ମଧ୍ୟ ଅହରହ ସଂଗ୍ରାମ କରୁଛନ୍ତି ଗ୍ରାମବାସୀ । ସରକାର ଙ୍କ ତରଫରୁ ଗ୍ରାମରେ ଦୁଇଟି ନଳକୂପ ସହିତ ଗୋଟିଏ ସୌର ଚାଳିତ ନଳ କୂପ ନିର୍ମାଣ କରାଯାଇଥିଲା ବର୍ତ୍ତମାନ ସୌରଚଳିତ ପାଣି ଟାଙ୍କି ଖରାପ ହୋଇ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ପଡିରହିଥିବା ବେଳେ ଗୋଟେ ନଳ କୂପ ଖରାପ ହୋଇ ୧ବର୍ଷ ରୁ ଅଧିକ ହୋଇଥିଲେ ମଧ୍ୟ ତିଆରି କରାଯାଉ ନାହିଁ । ଗାଁ’ ର ଶେଷ ମୁଣ୍ଡ ସ୍କୁଲରେ ଥିବା ନଳକୂପରୁ ଘଣ୍ଟା ଘଣ୍ଟା କଷ୍ଟ କଲାପରେ ଅଳ୍ପ ପରିମାଣରେ ପାଣି ବାହାରିଥାଏ ଯାହାଫଳରେ ବହୁତ ଭିଡ଼ ହେବା ସହ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ ।

ସେହିପରି ଅନ୍ୟ ଏକ ସାହିର ପାହାଡ଼ ଉପରେ ଥିବା ଏକ କୂଅରେ ନିର୍ଭର କରୁଥିବା ବେଳେ ଗ୍ରାମର ପ୍ରାୟ ୨୦ ରୁ ୩୦ ପରିବାର ଗାଁ ରେ ଥିବା ସ୍ଥାନୀୟ ବେପାରୀ ମନୋଜ ପାଡ଼ି ଙ୍କ ଘରେ ଥିବା ମୋଟରରୁ ପିଇବା ପାଣି ନେଇଥାନ୍ତି ଗ୍ରାମବାସୀ । ପାଣି ବାବଦକୁ ଦିନକୁ ଦୁଇ ଟଙ୍କା ମାସକୁ ୬୦ ଟଙ୍କା ଦେବାକୁ ପଡ଼ିଥାଏ ବୋଲି କହିଛନ୍ତି ଗ୍ରାମବାସୀ । ବେପାରୀ ଜଣକ ମଧ୍ୟ ନିଜର ବିଦ୍ୟୁତ ଏବଂ ମଟର ଖରାପ ହଲେ ତିଆରି କରିବା ପାଇଁ ଟଙ୍କା ନେଉଥିବା ସ୍ୱୀକାର କରିଛନ୍ତି । ଗ୍ରାମରେ ଜଳ ଅଭାବ ହେତୁ ହିତାଧିକାରୀଙ୍କୁ ମିଳିଥିବା ଆବାସ ଯୋଜନାରେ ହେଉଥିବା ଗୃହ ଯାକ ମଧ୍ୟ ସଠିକ ସମୟରେ ସମ୍ପୂର୍ଣ୍ଣ ହେଉନଥିବା ବେଳେ। ଗୃହ କାର୍ଯ୍ୟ ଆରମ୍ଭ କଲେ ଖର୍ଚ୍ଚାନ୍ତ ହୋଇ ଟ୍ରାକ୍ଟର ପାଣି ଆଣିବାକୁ ପଡ଼ି ଥାଏ ବୋଲି କହିଛନ୍ତି ଗ୍ରାମବାସୀ ।

ଫୁଲଝରି ଗ୍ରାମବାସୀ ରାସ୍ତା ଏବଂ ପାନୀୟ ଜଳ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଅଧିକାରୀମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଥିଲେ । ତେବେ ସରକାର ଗ୍ରାମାଞ୍ଚଳମାନଙ୍କ ବିକାଶ ପାଇଁ ମାନଚିତ୍ର ଆଙ୍କି ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ସରକାରୀ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ତାହା ସଠିକ ଭାବେ ପହଞ୍ଚି ନପାରି ଗ୍ରାମର ବିକାଶରେ ହିଁ ରହିଯାଉଛି । ଫୁଲଝରି ଗ୍ରାମରେ ରାସ୍ତା ଏବଂ ପାନୀୟ ଜଳ ନିମନ୍ତେ କୃଷ୍ଣ ମାଝୀ, ବୁଟୁ ମାଝୀ, ଚୁଡାମଣି ବିଶୋଇ, ରତନ ଭତ୍ରା, ମହାଦେବ ମାଝୀ, ସାଧୁରାମ ମାଝୀ, ରଜନୀ ବିଶୋଇ, ମମତା ମାଝୀ, ଜୟମଣି ମାଝୀ ପ୍ରମୁଖ ରାସ୍ତା ଓ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।