ଇସ୍କନ ଆଗରେ ଭାସିଲେ ଭକ୍ତ

ଭୁବନେଶ୍ୱର,୨୩ା୮/ଏନ୍ଏନ୍ଏସ୍: ଦିର୍ଘଦିନର ବିରତି ପରେ ପୁଣି ରାଜଧାନୀର ଇସ୍କନ ମନ୍ଦିର ସାମନାରେ ଗାଡ଼ି ମୋଟର ଗୁଡ଼ିକୁ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି । ଶୁକ୍ରବାର ଜନ୍ମାଷ୍ଟମି ଥିବା ଯୋଗୁଁ ଇସ୍କନ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ହେଲେ ଅଶରାଏ ବର୍ଷାରେ ସବୁ ଯେମିତି ଫସର ଫାଟିଗଲା । ମାତ୍ର ୧୬.୩ ମିଲିମିଟର ବର୍ଷା ହୋଇଥିବା ବେଳେ ଅଣ୍ଟାଏ ଉଚ୍ଚର ପାଣି ଯମିଯାଇଥିଲା । ଫଳରେ ମନ୍ଦିରକୁ ଆସିଥିବା ଭକ୍ତମାନେ ନାକେ ଦମ୍ ହୋଇଯାଇଥିଲେ । ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷା ଯୋଗୁଁ ଯେଉଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ପାଖ ଦୋକାନୀଙ୍କଠାରୁ ଆରମ୍ଭ କରି ଆସିଥିବା ଭକ୍ତ ଓ ପଥିକମାନେ ନାହିଁ ନଥିବା ଜଳଯନ୍ତ୍ରଣା ଭୋଗିଥଲେ । ପୂର୍ବରୁ ଯଦିଓ ରାଜଧାନୀରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଥିଲା ହେଲେ ଚଳିତ ବର୍ଷ ଏହା ପ୍ରଥମ ଜଳଯନ୍ତ୍ରଣା । ସବୁଠାରୁ ବଡ଼ କଥା ହେଲା ଇସ୍କୁନ ମନ୍ଦିର ସମ୍ମୁଖ ଓଭରବ୍ରିଜ୍ ଓ ତଳେ ଅନେକ ସମୟ ଧରି ପାଣି ଜମି ରହୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ରହିଲା ନାହିଁ । ବିଏମ୍ସି କର୍ତ୍ତୃପକ୍ଷ ଏନ୍ଏଚ୍ଆଇ ମୁଣ୍ଡକୁ ଦୋଷ ଠେଲି ଦେଇ ନିଜ କାମ ସାରିଦେଉଥିବା ଯୋଗୁ ପୁଣି ଥରେ ଏଠାରେ ଭୟାନକ ପରିସ୍ଥିତି ଦେଖିବାକୁ ମିିଳିଛି । ଇସ୍କନ ନିକଟରେ ଥିବା ସାଇଫନଟିକୁ ଭାଙ୍ଗିଥିବା ଯୋଗୁ ସ୍ୱଳ୍ପ ବର୍ଷା ହେଲେ ପାଣି ନଯମି ରାସ୍ତା ପରିସ୍କାର ହୋଇଯାଉଥିଲା । ହେଲେ ଶୁକ୍ରବାର ବର୍ଷା ତାହା କାମ ନକରିବାରୁ ସବୁଆଡ଼େ କେବଳ ପାଣି ହିଁ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ତେବେ ଇସ୍କନ ସାମନା ବ୍ୟତୀତ ଭୁବନେଶ୍ୱର ମୁଖ୍ୟ ସ୍ଥାନଗୁଡ଼ିକ ଯେପରି- ଜନପଥ, ଇସ୍କନ ମନ୍ଦିର, ବେହେରାସାହି, କଟକ ରୋଡ, ମାଉସିମା ଛକ, ୟୁନିଟ ୮ ଅଞ୍ଚଳ, ବମିଖାଲ, ସୂର୍ଯ୍ୟନଗର, ପୋଖରୀପୁଟ, ସତ୍ୟବିହାର, ଜିଜିପି କଲୋନୀ ସାଲିଆ ସାହି ପରି ବିଭିନ୍ନ ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟାର ସମ୍ମୁଖିନ ହୋଇଥିଲେ । ଏଥିରୁ ମୁଖ୍ୟ ରାସ୍ତାଗୁଡ଼ିକ ମଧ୍ୟ ବାଦ୍ ପଡ଼ିନଥିଲା । ରାଜଧାନୀର ଟପ୍ୱେ କୁହାଯାଉଥିବା ଜନପଥରେ ବର୍ଷା ପାଣି ସହ ଡ୍ରେନ ପାଣି ଲହଡ଼ି ମାରୁଥିବା ଲୋକେ ସେହି ପାଣିରେ ପସି ଯିବାକୁ ବାଧ୍ୟ ହୋଇଥିଲେ । ସେହିପରି ଅନେଇ କଲୋନୀ ଓ ତଳଆ ଅଞ୍ଚଳରେ ଲୋକ ଅନେକ ସମୟ ଧରି ଅସହାୟ ଅବସ୍ଥାରେ ରହିଥିଲେ । ତେବେ ଏହି ଦୃଷ୍ୟ ଦେଖିବା ପରେ ରାଜଧାନୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି ବୋଲି ମନେ ହେଉଛି । ବର୍ଷା ଜଳ ନିଷ୍କାସନ ପାଇଁ ବହୁ ପଦକ୍ଷପ ନେଉଥିଲେ ମଧ୍ୟ ସେଗୁଡ଼ିକ କେବଳ ଲୋକ ଦେଖାଣିଆ ଓ କାଗଜ କଲମରେ ସୀମିତ ହୋଇ ରହିଯାଉଛି । ଯାହାଫଳରେ ଭୁବନେଶ୍ୱରର ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତାମାନଙ୍କରେ ଏବେ ଅସରାଏ ବର୍ଷାରେ ହେଲେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି । ବର୍ଷା ସମୟରେ ସହରର ରାସ୍ତାଘାଟ ସବୁ ଏକାକାର ହୋଇପଡ଼ୁଥିବା ବେଳେ ଯେମିତି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ବର୍ଷା ପୂର୍ବରୁ ଡ୍ରେନ ସଫେଇ କରୁଥିବା କଥା କହି ବିଏମ୍ସି ଲୋକଙ୍କୁ ଆସ୍ୱସ୍ତ କରିଦେଉଛି । ହେଲେ କଣ କାମ କରୁଛି ସେକଥା କେବଳ ବିଭାଗୀୟ ଅଧିକାରୀମାନେ ହିଁ ଜାଣିଛନ୍ତି । ଡ୍ରେନ ସଂମ୍ପ୍ରସାରଣ ବଦଳରେ ଦିନକୁ ଦିନ ସଙ୍କୋଚିତ ହେଇଯାଉଥିବା ବେଳଏ ଏହାକୁ ଭଲଭାବେ ସଫେଇ ମଧ୍ୟ କରାଯାଉ ନାହିଁ । ଫଳରେ ଡ୍ରେନରେ ପାଣି ନିଷ୍କାସନ କମ୍ ହେଉଛି, ରାସ୍ତାରେ ଅଧିକ ଲହଡ଼ି ମାରୁଛି । \nଜନପଥରେ ବି ଜଳ ଯନ୍ତ୍ରଣା\n ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ରାସ୍ତା ମଧ୍ୟରେ ଜନପଥର ବେଶ ନାଁ ରହିଛି । ଏହି ରାସ୍ତାକୁ ସୁନ୍ଦର କରିବା ସହିତ ରାସ୍ତାର ଦୁଇପାଶ୍ୱର୍ରେ ବିଭିନ୍ନ ପ୍ରାକର ସୌନ୍ଦର୍ଯ୍ୟ କରଣ କାମ କରାଯାଉଛି । ବିଶେଷ କରି ସ୍ମାର୍ଟସିଟି ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ଜୋରଦାର ଉଦ୍ୟମ ଜାରି ରହିଛି । ହେଲେ ଏବେ ଏହି ରାସ୍ତାଟି ଅଶରାଏ ବର୍ଷା ହେଲେ ନିଜର ଅସ୍ତିତ୍ୱ ହରାଇ ଦେଉଛି । ଗୋଟିଏ ପଟେ ଅଣ୍ଡରଗ୍ରାଉଣ୍ଡ କେବଲକରଣ ପାଇଁ ରାସ୍ତାର ଦୁଇ ପାଶ୍ୱର୍କୁ ଖୋଳାଯାଇଥିବା ବେଳେ ଡ୍ରେନ କାମଠାରୁ ଆରମ୍ଭ କରି ଅନ୍ୟ।।ନ୍ୟ କାମ ପାଇଁ ରାସ୍ତାରେ ଖାଲବନ୍ଦ ହେବାର ନାଁ ଧରୁନାହିଁ । ବିଏମ୍ସି ବିଡିଏ ସହି ସ୍ମାର୍ଟସିଟିର ବଡ଼ ବଡ଼ ଅଧିକାରୀଙ୍କ ନକ୍ସା ପ୍ରସ୍ତୁତ ପରେ ଏହାର ଉନ୍ନତି କରଣ କରାଯାଉଥିବା ବେଳେ ଏବେ ଏହା ସମ୍ପୁର୍ଣ୍ଣ ଫେଲ ମାରିଥିବା ଭଳି ମନେ ହେଉଛି । ଏବେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଗାଡି ଛିଡ଼ା ହୋଇ ରହିବା ସହ ଅଣ୍ଠୁଏ ଲେଖା ପାଣି ଚାଲୁଛି । ଜନପଥ କଡ଼ରେ ଯାଇଥିବା ଡ୍ରେନଗୁଡ଼ିକ ସଫା ହେଉନଥିବାରୁ ଦୀର୍ଘ ସମୟ ଧରି ପାଣି ଜମି ରହୁଛି । ଶୁକ୍ରବାର ବି ସ୍ଥିତି ସମାନ ହୋଇଥିବା ବେଳେ ରାସ୍ତାରେ ଗାଡ଼ିମଟର ଧାଡ଼ିବାନ୍ଧି ଛିଡ଼ା ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ଏମିତି କି ଏକ କାର୍ ରାସ୍ତା ଅତିକ୍ରମ କରୁଥିବା ସମୟରେ ପାଣି ଆସିଯାଇଥିବାରୁ ଗାଡ଼ି ବନ୍ଦ ହୋଇଯାଇଥିଲା । ଅନ୍ୟପକ୍ଷରେ ଜନପଥରେ ପାଣି ଦୀର୍ଘ ସମୟ ଯାଏଁ ପାଣି ଜମି ରହିଥିବା ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଥିଲା । ଫଳରେ ଲୋକମାନେ ବାଧ୍ୟ ହୋଇ ରାସ୍ତାରେ ଥିବା ଡିଭାଇଡରକୁ ଭାଙ୍ଗିଥିଲେ । ଦୁଇପଟରେ ପାଣି ଯିବା ପାଇଁ ବାଟ ନଥିବାରୁ ଗୋଟିଏ ପଟରୁ ଅନ୍ୟପଟକୁ ପାଣି ଯିବା ପାଇଁ ବାଟ ଖୋଲିବା ପରେ ଜଳ ନିଷ୍କାସନ ହୋଇଥିଲା । ତେବେ ପରିସ୍ଥିତି ଏମିତି ଭୟଙ୍କର ହୋଇଥିଲେ ମଧ୍ୟ ବିଏମ୍ସି ପକ୍ଷରୁ କେହି ଜଳ ନିସ୍କାସନ ପାଇଁ ଆସିନôତବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।