ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳସ୍ତର; ଚିନ୍ତାରେ ତଳିଆ ଅଞ୍ଚଳର ଲୋକେ

ଭଦ୍ରକ,ଏନ୍ଏନ୍ଏସ୍: ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିମଧ୍ୟରେ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ହୋଇଥିବା ଦେଖାଯାଇଛି। ତେବେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ପାର ହୋଇଛି। ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏହା ଆଜି ସକାଳ ୭ଟା ସୁଦ୍ଧା ୧୭.୮୪ ମିଟର ଥିବା ଦେଖିବାକୁ ମିଳିଛି। ଫଳରେ ତଳିଆ ଅଞ୍ଚଳର ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି।

ସେହିପରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ୫ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା। କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ। ଏଥିସହିତ ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଲଘୁଚାପ ବର୍ଷା ରାଜ୍ୟରେ କିଛି ସ୍ଥାନରେ ଜାରି ଥିବାବେଳେ ୨୩ ତାରିଖରୁ ଆଉ ଏକ ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।