ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଦୀର୍ଘ ଦିନରୁ ଜଳ ସଙ୍କଟ ଲାଗି ରହିଛି । ହେଲେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପଲାଇନ୍ ସଂଯୋଗ ହେବା ସତ୍ୱେ ଲୋକଙ୍କୁ ପାଣି ମିଳୁନଥିବାବେଳେ କେତେକ ସ୍ଥାନରେ ପାଣି ଅଯଥାରେ ଅପଚୟ ହେଉଛି । ଆଉ ଏବେ ବି ଅନେକ ୱାର୍ଡରେ ଲୋକଙ୍କ ଘରକୁ ପାଇପ୍ ପାଣି ସଂଯୋଗ ହୋଇନଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟ ସରକାର ଗାଁଠୁ ସହର ସବୁ ଅଞ୍ଚଳରେ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିଥିବାବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ଅନେକ ପରିବାର ଏଥିରୁ ବଞ୍ଚିତ ଅଛନ୍ତି । ତେବେ ଗ୍ରାମାଞ୍ଚଳରେ କ’ଣ ବ୍ୟବସ୍ଥା ଥିବ ଏଥିରୁ ସ୍ପଷ୍ଟ ଅନୁମେୟ । କିନ୍ତୁ ଜଳ ଯୋଗାଣ ପ୍ରକଳ୍ପ ଦାୟିତ୍ୱରେ ଥିବା ସଂସ୍ଥା କର୍ମଚାରୀଙ୍କୁ ଘରକୁ ଘର ପଠାଇ ହିତାଧିକାରୀଙ୍କ ଠିକଣା ଯୋଗାଡ଼ କରୁଥିବାବେଳେ ଜନସାଧାରଣଙ୍କୁ ଉପଯୁକ୍ତ ଜଳ ଯୋଗାଣ ନକରି ହିତାଧିକାରୀଙ୍କ ନିକଟରୁ ବିଭାଗ ପକ୍ଷରୁ ଟିକସ ଆଦାୟ ପାଇଁ ଜୁଲୁମ୍ କରାଯାଉଛି । ବାଲିଗୁଡ଼ାରେ ସହରାଞ୍ଚଳ ଜଳ ଯୋଗାଣ କାର୍ଯ୍ୟାଳୟ ନଥିବା ହେତୁ ଲୋକେ ନିଜ ସମସ୍ୟା ବିଷୟରେ କାହାକୁ ଜଣାଇ ପାରୁନାହାନ୍ତି । ଜଣେ ଅନ୍ୟଜଣକ ମୁଣ୍ଡରେ ଦୋଷ ଲଦି ଚାଲିଛନ୍ତି କିନ୍ତୁ ଅଞ୍ଚଳବାସୀଙ୍କ ସମସ୍ୟାକୁ କେହି ଧ୍ୟାନ ଦେଉନାହାନ୍ତି । ଏବେ ଖରାଦିନ ଆସିଲାଣି । ରାଜ୍ୟ ସରକାର ପ୍ରତି ଘରକୁ ଦିନ ରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି । ହେଲେ ଆମେ କ’ଣ ପାଇଁ ସରକାରୀ ଯୋଜନାରୁ ବଞ୍ଚିତ ରହିବୁ ବୋଲି ଲୋକେ ପ୍ରଶ୍ନ କଲେଣି । ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ଜନ ଆନ୍ଦୋଳନ ହେବ ଏବଂ ଏଥିପାଇଁ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।