ବିଛିନ୍ନାଞ୍ଚଳରେ ଥିବା ଯୋଡ଼ାଆମ୍ବ ସ୍ୱାସ୍ଥ୍ୟକେନ୍ଦ୍ର ପାଣି ଘେରରେ, ରୋଗୀ ହନ୍ତସନ୍ତ

କୋରୁକୋଣ୍ଡା,ଏନ୍ଏନ୍ଏସ୍:ଚିତ୍ରକୋଣ୍ଡା ବିଛିନାଞ୍ଚଳରେ ଥିବା କୁଡୁମୁଲୁଗୁମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଯୋଡ଼ାଆମ୍ବ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ପଶି ରୋଗୀ ଓ ମେଡିକାଲ କର୍ମଚାରୀ ହନ୍ତସନ୍ତ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁପ୍ରିୟା ସେତୁ ହେବା ପରେ ଚିତ୍ରକୋଣ୍ଡା ରେ ଥିବା ବିଛିନାଞ୍ଚଳ କୁ ସରକାର ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷିତ କରିଥିଲେ, ଏବଂ କୋଟି କୋଟି ଟଙ୍କା ର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ।

କିନ୍ତୁ ଆଜି ମଧ୍ୟ ଲୋକେ ପ୍ରତିଦିନ ବିନା ଲାଇଭ ଜ୍ୟାକେଟ ରେ ଦେଶୀ ଡଙ୍ଗା କିମ୍ବା ଲଞ୍ଚ ରେ ଚିତ୍ରକୋଣ୍ଡା ଘାଟ ରୁ ପଣସପୁଟ, ଯୋଡ଼ାଆମ୍ବ, ଅଣ୍ଡରାପଲି, ଯନ୍ତ୍ରୀ ଏଭଳି ଅନେକ ପାଣି ଭିତରେ ଥିବା ଗାଁ ଗୁଡିକୁ ଯା ଆସ କରୁଛନ୍ତି। କିନ୍ତୁ ସରକାର ସ୍ୱାସ୍ଥ୍ୟ ବିଭାଗ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କଥା ଡେଣ୍ଡୁରା ପିଟୁଥିଲେ ମଧ୍ୟ ଏଯାଏଁ ବିଛିନାଞ୍ଚଳ ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ କୌଣସି ପ୍ରକାର ସୁବିଧା ମିଳୁନାହିଁ।

ଗତ କିଛି ଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ଯୋଡ଼ାଆମ୍ବ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ବର୍ଷା ଜଳ ପଶି ରୋଗୀ ହନ୍ତସନ୍ତ ହେବା ନେଇ ଅଭିଯୋଗ କରିଛନ୍ତି।ଆଜବେଷ୍ଟ/ଛାତ ରୁ ପାଣି ବୋହିବା ର ଦୃଶ୍ୟ ଦେଖିବା ସହ ବାହାର ବର୍ଷା ଜଳ ମଧ୍ୟ ମେଡିକାଲ ପରିସର କୁ ଆସୁଥିବା ଦେଖିବାକୁ ମିଳିଛି। ବର୍ଷା ଛାଡିବା ପରେ ଜଳକୁ ନିଜେ ମେଡିକାଲ କର୍ମଚାରୀ ନିଷ୍କାସନ କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଏନେଇ ରୋଗୀ ଙ୍କ ସମ୍ପର୍କୀୟ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା କୁ ସ୍ଥାନୀୟ ଜନସାଧାରଣ ତୀବ୍ର ନିନ୍ଦା କରିବା ସହ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।