ଯେଉଁଠି ବିଜ୍ଞାନର ଜୟଯାତ୍ରା ଜାରି ରହିଛି ସେଠି ଅନ୍ଧବିଶା୍ୱସ ବି ପଛରେ ପଡ଼ିନାହିଁ। ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଏପରି ସ୍ଥାନ ରହିଛି ଯେଉଁଠି ଲୋକଙ୍କ ପାଇଁ ବିକାଶ ଅପହଞ୍ଚ ଆଉ ସ୍ୱାସ୍ଥ୍ୟ ସେବା ଦୁଃସ୍ୱପ୍ନ ପାଲଟିଛି। ଦୀର୍ଘ ୫୦ ବର୍ଷ ଧରି ପ୍ରତିି ଦିନ ମରିମରି ବଞ୍ôଚବାକୁ ସଂଘର୍ଷ କରୁଛନ୍ତି ଏହି ଅଭିଶପ୍ତ ଗ୍ରାମବାସୀ।
ଏପରି ଉଦାହରଣ ଦେଖିବାକୁ ମିଳିଛି କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତ ଅନ୍ତର୍ଗତ ଚକୁରିଆ ଗ୍ରାମରେ। ଆଦିବାସୀ ଅଧ୍ୟୁଷିତ ଚକୁରିଆ ଗ୍ରାମରେ ୫୦ ପରିବାରର ୪୦୦ରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି। ସେମାନେ ସମସ୍ତେ ମୁଣ୍ଡା ଓ ଶବର ସମ୍ପ୍ରଦାୟର। ଗ୍ରାମର ସଭିଁଏ ଦିନମଜୁରିଆ ଅଟନ୍ତି। ଯାହା କିଛି ସ୍ୱଳ୍ପ ରୋଜଗାରରେ ସେମାନଙ୍କ ତେଲ ଲୁଣର ସଂସାର ଚଳାଇଥାନ୍ତି। ହେଲେ ଏହି ଅଭିଶପ୍ତ ଗ୍ରାମବାସୀଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି ପାନୀୟଜଳ। ଚକୁରିଆ ଗ୍ରାମରେ ପାନୀୟଜଳ ପାଇଁ ଆଜିକୁ ୩୦ ବର୍ଷ ପୂର୍ବରୁ ଦୁଇଟି ନଳକୂପ ଖୋଳାଯାଇଥିଲା। କିନ୍ତୁ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଦୁଇଟି ନଳକୂପ ବିଶେଷ କାର୍ଯ୍ୟକ୍ଷମ ନୁହଁ। ତେବେ ଉକ୍ତ ନଳକୂପରୁ ନାଲି ପାଣି ଓ ଲୌହଯୁକ୍ତ ପାଣି ବାହାରୁଛି। ଯାହାକି ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ। ତେବେ ପାନୀୟଜଳ ଅଭାବରୁ ଲୋକମାନେ ଏହାକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି।
ଗ୍ରାମବାସୀ ସେହି ନାଲିପାଣି ଓ ଲୌହଯୁକ୍ତ ପାଣି ପିଇ ଚର୍ମ ରୋଗଠାରୁ ଆରମ୍ଭ କରି ଟିବି, କିଡ୍ନୀ ସଂକ୍ରମଣ ଭଳି ମହା ମାରାତ୍ମକ ରୋଗରେ ପଡ଼ି ଅକାଳରେ ପ୍ରାଣ ହରାଉଛନ୍ତି ବୋଲି ଗ୍ରାମର ମୋହନ ସୋଲେ, ଅଲହା ସିନ୍ଧୁ, ଅମିନ ସଲେ, ଦୁଇତା ଦାସ, ସସ୍ମିତା ତିରିଆ, ମଞ୍ଜୁ ତିରିଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଚକୁରିଆ ଗ୍ରାମରେ ଆଜି ପର୍ଯ୍ୟନ୍ତ ୫୦ ବର୍ଷରୁ କମ୍ ବୟସରେ ଅଧିକାଂଶ ଲୋକ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ସୌଭାଗ୍ୟକ୍ରମେ ୩ ଜଣ ଚରଣ ତିରିଆ (୭୪), ବେଲା ଚାମ୍ପିଆ (୭୯) ଓ ତୁଳସୀ ସଲେ(୬୫) ଯେଉଁମାନେ ଏ ପର୍ଯ୍ୟନ୍ତ ରୋଗାକ୍ରାନ୍ତ ଅବସ୍ଥାରେ ଥାଇ ମଧ୍ୟ ବଞ୍ଚିଛନ୍ତି। ନଚେତ ୫୦ ବର୍ଷରୁ ଊଦ୍ଧ୍ୱର୍ର୍ କୌଣସି ଲୋକ ଉକ୍ତ ଗ୍ରାମରେ ବଞ୍ଚିଗଲେ ସେ ନିଜକୁ ସୌଭାଗ୍ୟ ମନେ କରୁଛି। ମଝିରେ ମଝିରେ ଆଶା ଦିଦି କିଛି ଟିବି, ଫାଇଲେରିଆ, ମ୍ୟାଲେରିଆ ଔଷଧ ଆଣି ଲୋକମାନଙ୍କୁ ବାଣ୍ଟିଦେଇ ନିଜ କାମ ସାରି ଦେଉଛନ୍ତି। ଗ୍ରାମରେ ଶିଶୁଠାରୁ ଆରମ୍ଭ କରି ଯେ କୌଣସି ଲୋକର ଦେହ ଖରାପ ହେଲେ ସେ ଚିକିତ୍ସାଳୟ ଯିବା ଅପେକ୍ଷା ଆଖପାଖ ଅଞ୍ଚଳରେ ଥିବା ଗୁଣିଆ ପାଖକୁ ଯାଇ ଝଡ଼ାଫୁଙ୍କାକୁ ଅଧିକ ବିଶ୍ୱାସ କରୁଛନ୍ତି।
ଗ୍ରାମର ଅବସ୍ଥା ତଥା ସମସ୍ୟା ସମ୍ପର୍କରେ କାମାକ୍ଷାନଗର ଉପଜିଲ୍ଳାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ସେହି ଗ୍ରାମକୁ ଖୁବଶୀଘ୍ର ଯାଇ ଲୋକମାନଙ୍କର ସମସ୍ୟାକୁ କିପରି ସମାଧାନ ହେବ ତାହା ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସେହି ଲୋକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ମହାବୀର ଶାନ୍ତି ସଂଗଠନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ହାତ ବଢ଼ାଇଛି। ଗ୍ରାମର ଏଭଳି ଅବସ୍ଥା ଦେଖି ସେମାନଙ୍କର ଜୀବନଶୈଳୀକୁ ବଦଳାଇବା ସହିତ ଅନ୍ଧବିଶ୍ୱାସ, କୁସଂସ୍କାରରୁ ମୁକ୍ତି କରିବାକୁ ଉକ୍ତ ସଂଗଠନ ଅଣ୍ଟା ଭିଡିଛି। ସଂଗଠନ ପକ୍ଷରୁ ସଭାସମିତି କରାଯାଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି ସଂଗଠନର କର୍ମକର୍ତ୍ତା। ସରକାର ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ବିଭିନ୍ନ ସମୟରେ ଏହି ଆଦିବାସୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ସେମାନଙ୍କ ଚିତ୍ର ଓ ଚରିତ୍ରକୁ ବଦଳାଇ ପାରିନାହିଁ।