ମାଲଗୋଦାମରେ ବ୍ୟବସାୟ ସମୟ ନିର୍ଘଣ୍ଟ: ସପ୍ତାହର ବୁଧବାର ବନ୍ଦ ରହିବ ମାଲଗୋଦାମ

କଟକ,ଏନ୍ଏନ୍ଏସ୍: କଟକ ମାଲଗୋଦାମ ନିକଟବର୍ତ୍ତି ବେହେରା ସାହି ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ନେଇ ସିଏମସି ପକ୍ଷରୁ ବେହେରାସାହି ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ସିଏମସି ପକ୍ଷରୁ ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍କ୍ରିନିଂ ଏବଂ ଟେଷ୍ଟିଂ ମଧ୍ୟ ଜାରି ରହିଛି। ତେବେ ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ କଟକ ବଣିକ ସଂଘ ପକ୍ଷରୁ ଦୋକାନ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସିଏମସି ପକ୍ଷରୁ ସ୍ୱୀକୃତି ମିଳିଛି। ସିଏମସି କମିଶନର ଅନନ୍ୟା ଦାସ ଏ ନେଇ ଚିଠି ନମ୍ବର ୬୫୨୯ରେ ଏକ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି।

ଏହି ନିର୍ଦ୍ଦେଶନାମା ଅନୁସାରେ ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବା ନେଇ ସମୟ ନିର୍ଦ୍ଧାରଣ କରାଯାଇଛି। ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ପୂର୍ବାହ୍ନ ୭ରୁ ୧୦ଟା ପର୍ଯ୍ୟନ୍ତ, ହୋଲସେଲ୍ ଦୋକାନଗୁଡ଼ିକ ପୂର୍ବାହ୍ନ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୁଚୁରା ଦୋକାନଗୁଡ଼ିକ ଖୋଲା ରଖାଯିବ। ସେହିଭଳି ଅନ୍ୟାଦେଶ ନଆସିବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ବୁଧବାର ମାଲଗୋଦାମର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବାକୁ ସିଏମ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଥିସହିତ ଶନିବାର ଓ ରବିବାର ସଟଡାଉନ୍ ରହୁଥିବା ହେତୁ ସେହି ଦୁଇ ଦିନ ବି ପୂର୍ବ ଭଳି ମାଲଗୋଦାମ ବନ୍ଦ ରହିବ ବୋଲି ଜଣାପଡ଼ିଛି।