ଆଖିକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଏହିସବୁ ଖାଦ୍ୟ ଆପଣାନ୍ତୁ….

ଭୁବନେଶ୍ୱର : ଆଜିକାଲି ଦୀର୍ଘ ସମୟ ଧରି କମ୍ପ୍ୟୁଟରରେ କାମ କଲେ, ମୋବାଇଲରେ ଅଧିକ ସମୟ ବିତାଇଲେ କିମ୍ବା ଟିଭି ଦେଖିଲେ ଆଖିରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି। ବର୍ଦ୍ଧିତ ବୟସ ସହ ଆଖିରେ ସମସ୍ୟା ଦେଖାଯିବା ତ ସାଧାରଣ କଥା। କିନ୍ତୁ ବର୍ତ୍ତମାନ ସମୟରେ କମ୍ ବୟସ୍କଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଯଦି ଆପଣଙ୍କ ଆଖିରେ କୌଣସି ପ୍ରକାର ସମସ୍ୟା ଦେଖାଯାଉଛି ତେବେ ବୁଝିନିଅନ୍ତୁ ଖାଦ୍ୟପେୟରେ ପୋଷକ ତତ୍ତ୍ୱର କିଛି ଅଭାବ ରହିଯାଉଛି।

ଆଖିକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଏ, ସି ଓ କେ ର ଆବଶ୍ୟକତା ରହିଛି। ଖାଦ୍ୟ ସହ ଆଖିକୁ ଆରାମ ଦେବା ମଧ୍ୟ ନିହାତି ଦରକାର। ଅନେକ ସମୟରେ ଅବହେଳା ଓ ଜେନେଟିକ କାରଣ ଯୋଗୁଁ ମଧ୍ୟ ଆଖିରେ ସମସ୍ୟା ଦେଖାଦେଇଥାଏ। ଏମିତିରେ ଔଷଧ ଖାଇବା ସହ ଖାଦ୍ୟପେୟରେ ମଧ୍ୟ ଧ୍ୟାନ ରଖିବା ଉଚିତ। ତେବେ କେଉଁ ସବୁ ଖାଦ୍ୟକୁ ଆହାର କଲେ ଆପଣଙ୍କ ଆଖି ସୁସ୍ଥ ରହିବ ଆସନ୍ତୁ ଜାଣିବା।

ଭିଟାମିନ ସି- ଖାଦ୍ୟରେ ଅଁଳା, ଲେମ୍ବୁ, ଟମାଟର, କମଳା ଭଳି ଖଟା ଫଳକୁ ସାମିଲ କରନ୍ତୁ । ଅଁଳା ଆଖି ପାଇଁ ବରଦାନ ହୋଇଥିବାରୁ ପ୍ରତିଦିନ ଖାଆନ୍ତୁ।

ସବୁଜ ପନିପରିବା-
ଆଖିକୁ ଭଲ ରଖିବାକୁ ଚାହୁଁଥିଲେ ପ୍ରତିଦିନ ଶାଗ ଖାଆନ୍ତୁ। ଏଥିରେ ଲ୍ୟୁଟିନ ଓ ଜିଏକ୍ସୋଥିନ୍ ଭରପୂର ମାତ୍ରାରେ ଥିବାରୁ ଦୃଷ୍ଟିଶକ୍ତି ବଢ଼ାଇଥାଏ। ପାଳଙ୍ଗ, ବ୍ରୋକୋଲୀ ଓ ସିମଲା ମିର୍ଚ୍ଚରେ ଭିଟାମିନ୍ ସି ଥିବାରୁ ଆଖି ପାଇଁ ଲାଭଦାୟୀ ହୋଇଥାଏ।

ଗାଜର-
ପ୍ରତିଦିନ ଗୋଟେ ଗ୍ଲାସ ଗାଜର ଜୁସ୍ ପିଇବା ଦ୍ୱାରା ଆଖିକୁ ଆଉ ଚଷମା ଆବଶ୍ୟକ ହେବନ ବୋଲି ଶୁଣିବାକୁ ମିଳେ। ସେଥିପାଇଁ ଶୀତ ଦିନରେ ପ୍ରତିଦିନ ଗାଜର କିମ୍ବା ମିକ୍ସ ଭେଜର ଜୁସ ପିଇବା ଉଚିତ। ଏଥିସହ ପ୍ରତିଦିନ ସାଲାଡରେ କିମ୍ବା ତରକାରୀରେ ଗାଜର ବ୍ୟବହାର କଲେ ଆଖି ସୁସ୍ଥ ରହିବ।

ଜାମୁକୋଳି –
ଜାମୁକୋଳିରେ ଥିବା ଭିଟାମିନ ସି ଆଖି ପାଇଁ ବେଶ୍ ଲାଭଦାୟୀ ହୋଇଥାଏ। ଏଥିସହିତ ଜାମୁକୋଳି ବିଭିନ୍ନ ରୋଗ ଦାଉରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ।

ଗୁଜୁରାତି-
ଆଖିକୁ ସୁସ୍ଥ ରଖିବା ପାଇଁ ତାକୁ ଥଣ୍ଡା ରଖିବା ମଧ୍ୟ ନିହାତି ଦରକାର। ସେଥିପାଇଁ ଶରୀରକୁ ସନ୍ତୁଳିତ କରିବା ପାଇଁ ଗୁଜୁରାତି ଖାଆନ୍ତୁ। ନିୟମିତ ଗୁଜୁରାତି ଖାଇଲେ ଆଖି ଥଣ୍ଡା ରହିବା ସହ ଦୃଷ୍ଟିଶକ୍ତି ବଢ଼ିଥାଏ।

ମାଛ
ଦୃଷ୍ଟିଶକ୍ତି ପାଇଁ ମାଛ ଖାଇବା ନିହାତି ଦରକାର। ସାଲମନ୍, ବାଳିଆ ଓ ଚୁନା ମାଛ ଖାଇବା ଜରୁରୀ। ମାଛ ଖାଇଲେ ମୋତିଆବିନ୍ଦୁ ହେବାର ଆଶଙ୍କା ମଧ୍ୟ କମ୍ ରହିଛି।